ଭୁବନେଶ୍ୱର : ଦୁର୍ଘଟଣାଗ୍ରସ୍ତ ଜନୈକ ବ୍ୟକ୍ତି ପ୍ରତାପଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇଁବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସହଜ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ” |
ଦୁର୍ଘଟଣାଟି ଘଟିଥିଲା, ୧୯୯୭ମସିହା ଏପ୍ରିଲ ୧୭ତାରିଖରେ, ଯେଉଁଦିନ ସାରା ଓଡ଼ିଶାରେ ମହାନ ଜନନାୟକ ତଥା ପ୍ରବାଦପୁରୁଷ ବିଜୁ ବାବୁଙ୍କ ମୃତ୍ୟୁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ଏବଂ ଶେଷ ସମୟରେ ବିଜୁବାବୁଙ୍କ ମୁହଁ ଟିକେ ଦେଖିବା ପାଇଁ ଜଗତସିଂହପୁର ଜିଲ୍ଲାରୁ ୩୯ ବର୍ଷିୟ ବ୍ୟକ୍ତି ପ୍ରତାପ କୁମାର ଜେନା ଧାଇଁ ଆସିଥିଲେ । ଦୁର୍ଭାଗ୍ୟବଶତଃ, ସେ ଘରକୁ ଫେରୁଥିବା ସମୟରେ ମାଷ୍ଟର କ୍ୟାଣ୍ଟିନ ନିକଟରେ ଏକ ବସ୍ ତାଙ୍କୁ ଧକ୍କା ଦେବା କାରଣରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କ ଡ଼ାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଅସ୍ତ୍ରୋପଚାର ସମୟରେ ଡାକ୍ତର ଗୋଡ଼ କାଟିବାକୁ ପରାମର୍ଶ ଦେଇଥିଲେ । ୧୯୯୮ ମସିହାରେ ସେ ଓଲଟପୁରରୁ ଏକ କୃତ୍ରିମ ଗୋଡ଼ ଆଣି ବ୍ୟବହାର କରୁଥିଲେ କିନ୍ତୁ କିଛି ବର୍ଷ ପରେ ତାହା ନଷ୍ଟ ହୋଇଯାଇଥିଲା । ତାଙ୍କର ଏ ସଂଘର୍ଷମୟ କାହାଣୀ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ମା’ ମଙ୍ଗଳା କ୍ଲବର ୨ଜଣ ସ୍ଵେଚ୍ଛାସେବୀ ରାଜା ମହାନ୍ତି ଏବଂ ଦେବାଶିଷ ମହାରଣାଙ୍କ ଠାରୁ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଜାଣିବା ପରେ ଆବାହକଙ୍କ ସହ ଆଲୋଚନା କରିଥିଲେ । ଏହାପରେ, ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ପ୍ରତାପଙ୍କୁ ଆଜି କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି ।
ଗୋଡ଼ ଲାଗିବା ସମୟରେ ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ, ରାଜ୍ୟ ସଂଯୋଜକ ଶ୍ରୀ ମିହିର ରାୟ ଏବଂ ଓଡ଼ିଶା-ମୋ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ ।
ଗୋଡ଼ ଲାଗିବା ପରେ ପ୍ରତାପଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଥିଲା । ସେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.