ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରଠାରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରର ଇଂଜିନିୟରିଂ ଛାତ୍ରଛାତ୍ରୀମାନଙ୍କ ପ୍ରଥମ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଟାଟାର ମୁଖ୍ୟ ଏରୋସ୍ପେସ୍ ଆଣ୍ଡ ଡିଫେନ୍ସର ମୁଖ୍ୟ ମାସୁଦ୍ ହୁସାଇନ୍ ଇଂଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି କହିଲେ ଯେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରୁ ଆଇଟିଆଇ ଏବଂ ଡିପ୍ଲୋମା ଇଂଜିନିୟରିଂ ଛାତ୍ରଛାତ୍ରୀମାନେ ପାଠପଢ଼ି ଆଗାମୀ ଦିନରେ ସାରା ବିଶ୍ୱରେ ଚାକିରି କ୍ଷେତ୍ରରେ ନିଜକୁ ଅଧିଷ୍ଠିତ କରିପାରିବେ ।
ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା କହିଲେ ଯେ ଆଜିର ଯୁଗ ଶିଳ୍ପର ଯୁଗ । ଏହି ପାଠ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ପାଇଁ ଟେକ୍ନିକାଲ୍ ସ୍କିମ୍ରେ ସେମାନଙ୍କ ଦକ୍ଷତା ବିକାଶ କରାଇବ । ଏହି ବିଶ୍ୱ ଦକ୍ଷତା କେନ୍ଦ୍ରରୁ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ବିଶ୍ୱସ୍ତରୀୟ କମ୍ପାନୀରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି କହିଲେ ଯେ ଏଠାରୁ ହାସଲ କରିଥିବା ଶିକ୍ଷା ଏବଂ ଦକ୍ଷତା ବଳରେ ସେମାନେ ଚାକିରି ଜୀବନରେ ଉନ୍ନତି କରିପାରିବେ । ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ବିଷୟରେ ଏକ ଅନୁକୂଳ ଧାରଣା ସୃଷ୍ଟି କରିବା ଛାତ୍ରଛାତ୍ରୀମାନଙ୍କ କର୍ମକୁଶଳତା ଉପରେ ନିର୍ଭର କରେ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା କହିଥିଲେ ।
ଏହି ଅବସରରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରର କୃତୀ ଛାତ୍ରଛାତ୍ରୀ ଶ୍ରୀ ଦୀପକ ରଞ୍ଜନ ହୋତା, ଶ୍ରୀ ଭୂବନ ଓଝା, ଶ୍ରୀ ସଂଗ୍ରାମ କେଶରୀ ବିଶୋଇ, ଶ୍ରୀ ଜ୍ୟୋତିରଞ୍ଜନ ଗୋଚ୍ଛାୟତ, ଶ୍ରୀ ଅମିତ କୁମାର ପାଲ, ଶ୍ରୀ ଶିବାନନ୍ଦ ପାଲ, ଶ୍ରୀ ବାସୁଦେବ ଓଝା, ଶ୍ରୀ ତୁଷାରକାନ୍ତ ନାୟକ, କୁମାରୀ କିରନ୍ ସାହୁ ପ୍ରମୁଖଙ୍କୁ ମୁଖ୍ୟ ଅତିଥି ସ୍ୱର୍ଣ୍ଣ, ରଜତ ଓ ତାମ୍ର ପଦକ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଅଳକା ମିଶ୍ର, ଅଧ୍ୟକ୍ଷ ଶ୍ରୀ ସଙ୍ଗରନ୍ ଗୋପାଲ୍, ଓଏସ୍ଡିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରେଘୁ ଜି., ଡେପୁଟି ପି୍ରନ୍ସିପାଲ୍ ଶ୍ରୀ ଶୁଭଙ୍ଗ କିଶୋର ଦାସ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ପିନାକୀ ପଟ୍ଟନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ, ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.