ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ମଧୁମେହ ଦିବସ ପାଳିତ

0 3

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ଓଡ଼ିଶା ସରକାର ଓ ମହିଳା ମହାବିଦ୍ୟାଳୟ ରେଡକ୍ରସ ବିଭାଗର ମିଳିତ ଆନୁକୂଲ୍ୟରେ ବିଶ୍ୱ ମଧୁମେହ ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି।
ଏହି ସଚେତନ ମୂଳକ କର୍ମଶାଳାରେ ୩୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ରକ୍ତ ଶର୍କରାକୁ ପରୀକ୍ଷା କରାଇ ନିଅନ୍ତୁ , ଜୀବନ ଚର୍ଯ୍ୟାକୁ ଶୃଙ୍ଖଳିତ କରନ୍ତୁ , ସୁସ୍ଥ ରୁହନ୍ତୁ ଶୀର୍ଷକରେ ଆଲୋଚନା କରାଯାଇଥିଲା।
ଏଥିରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ଆନନ୍ଦ କୁମାର ସାମନ୍ତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଚକ୍ଷୁ ବିଶେଷଜ୍ଞ ଡ଼ଃ. ଶରତ ଚନ୍ଦ୍ର ମହାପାତ୍ର ଓ ଅନ୍ୟତମ ଅତିଥି ଭାବେ ସୂର୍ଯ୍ୟ କାନ୍ତ ମିଶ୍ର ସରକାରୀ ପରିଚାଳକ ଏନ୍. ସି .ଡି ଯୋଗ ଦେଇ ମଧୁମେହ ରୋଗ , ଏହାର ନିରାକରଣ ଓ ସୁସ୍ଥ ନିରୋଗ ନିରାମୟ ଜୀବନ ଯାପନ ପାଇଁ ଅତି ଉପାଦେୟ ତଥ୍ୟମାନ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୨୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ମାନେ ଉତ୍ସାହର ସହ ଯୋଗ ଦେଇଥିଲେ ଓ ଆବଶ୍ୟକ ତଥ୍ୟ ଗୁଡିକ ଲିଖିତ ଆକାରରେ ସଂଗ୍ରହ କରି ବକ୍ତା ମାନଙ୍କ ସହ ପ୍ରଶ୍ନୋତ୍ତର ମାଧ୍ୟମରେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ସହଯୋଗ କରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ଏହି କର୍ମଶାଳାରେ ସଭାପତିତ୍ୱ କରିବା ସହ ଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ରକ୍ଷା ସମ୍ବନ୍ଧରେ ସଚେତନ କରିଥିଲେ। ମହାବିଦ୍ୟାଳୟର ରେଡ୍କ୍ରସ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମହେଶ ରଞ୍ଜନ ବେହେରା ଓ ଏସ୍ .ଗୋବିନ୍ଦ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Leave A Reply

Your email address will not be published.