ଗ୍ରାମାଞ୍ଚଳରେ ସର୍ବାଧିକ ୧୨ଶହ ଓ ସହରାଞ୍ଚଳର ମତଦାନ କେନ୍ଦ୍ରଗୁଡ଼ିକରେ ୧୪ ଶହ ଭୋଟରକୁ ନେଇ ହେବ ଗୋଟିଏ ବୁଥ
ଭିଭିପଟ ଚିଠାରୁ ଭୋଟର ଜାଣିପାରିବେ କାହାକୁ ଗଲା ତାଙ୍କ ଭୋଟ
ବାରିପଦା(ଦିଲ୍ଲୀପ ମହାନ୍ତି )– ମୟୂରଭଞ୍ଜ ଜିଲ୍ଲାର ପ୍ରକାଶିତ ଚିଠା ଭୋଟର ତାଲିକାକୁ ନେଇ ଜିଲ୍ଲାପାଳ ବିନିତ କୁମାର ଭରଦ୍ୱାଜ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ଖବରଦାତା ସମ୍ମିଳନୀ ଡ଼କାଇଥିଲେ । ଏଥିରେ ସେପ୍ଟେମ୍ବର ପହିଲାରୁ ଜିଲ୍ଲାରେ ଚିଠା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲୁ ରହିବ ଓ ପ୍ରକ୍ରିୟାରେ ୨୦୧୯ ଜାନୁଆରୀ ପହିଲା ସୁଦ୍ଧା ୧୮ ବର୍ଷ କିମ୍ବା ତତୁର୍ଦ୍ଧ ବୟସର ଯୁବକଯୁବତୀମାନେ ସେମାନଙ୍କ ନାମକୁ ଭୋଟର ତାଲିକାରେ ନୂତନ ଭାବେ ଯୋଡ଼ିବା ନିମନ୍ତେ ନିର୍ଦ୍ଧାରିତ ଫର୍ମ-୬ ପୂରଣ କରି ରଙ୍ଗୀନ ପାସପୋର୍ଟ ଫଟୋ, ବାସସ୍ଥାନ ଓ ବୟସ ସମ୍ପର୍କିତ ପ୍ରମାଣପତ୍ର ସହିତ ଆବେଦନ କରିବେ । ସେହିପରି ନୂତନ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୂକ୍ତ କରାଯିବା ସଂଗେସଂଗେ ମୃତ, ସ୍ଥାନାନ୍ତରିତ ଓ ଦୋହରା ଭୋଟରମାନଙ୍କୁ ଚିହ୍ନଟ କରାଯାଇ ତାଲିକାରୁ ବାଦ ଦେବା, ଭୋଟର ତାଲିକା ଓ ଭୋଟର ପରିଚୟ ପତ୍ରରେ ନିଜର ନାମ, ବାସସ୍ଥାନ, ବୟସ ଆଦି କ୍ଷେତ୍ରରେ ରହିଥିବା ତୃଟିକୁ ସଂଶୋଧନ, ନିଜର ନିର୍ବାଚନ ମଣ୍ଡଳୀରେ ବାସସ୍ଥାନ ପରିବର୍ତ୍ତନ କରାଇପାରିବେ । ଏଥି ନିମନ୍ତେ ନିର୍ଦ୍ଧାରିତ ଫର୍ମ -୭, ଫର୍ମ-୮ ଓ ଫର୍ମ-୮(ଏ) ଆଦିକୁ ପୂରଣ କରି ନିଜ ନିଜ ବୋଥ ଦାୟିତ୍ୱରେ ରହିଥିବା ବିଏଲଓଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ । ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମସ୍ତ ବୁଥ ସ୍ତରୀୟ ଅଧିକାରୀଙ୍କ ନିକଟରେ ଦାଖଲ କରାଇପାରିବେ ଅଥବା ବ୍ଲକ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା ଭୋଟର ସହାୟତା କେନ୍ଦ୍ର ଆଦିର ସହାୟତା ନେଇପାରିବେ । ଭୋଟରମାନଙ୍କୁ ସହାୟତା ପ୍ରଦାନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଟୋଲ ପ୍ରି ନଂ-୧୯୫୦ କାର୍ଯ୍ୟକ୍ଷମ କରାଯାଇଛି । ଉକ୍ତ ଟୋଲ ଫ୍ରି ନମ୍ବର ପୂର୍ବରୁ ନିଜ ନିଜ ଅଞ୍ଚଳ ନିମନ୍ତେ ରହିଥିବା ଏସଟିଡ଼ି କୋଡର଼୍କୁ ଯୋଡ଼ି ଫୋନ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ । ପ୍ରତ୍ୟେକ ଭୋଟର ପ୍ରକାଶିତ ଚିଠା ଭୋଟର ତାଲିକାରେ ନିଜର ନାମ ପଞ୍ଜିକୃତ ହୋଇଇଛିକି ନାହିଁ ଅଥବା କେଉଁ କେନ୍ଦ୍ରରେ ନାମ ରହିଛି, ନାମ ଓ ଠିକଣା ଆଦିରେ କୌଣସି ତୃଟି ରହିଛି କି ନାହିଁ ତାହାକୁ ଯାଞ୍ଚ କରାଇ ପାରିବେ । କିମ୍ବା ସେ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ ସାଇଟ www.ceoorissa.in/www.nvsp.inରେ ଦେଖିପାରିବେ ଅଥବା ଅନ ଲାଇନରେ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଆବେଦନ ପତ୍ର ଦାଖଲ କରିପାରିବେ । ଏହା ଉପରେ ୨୦୧୮ ନଭେମ୍ବର ୩୦ ପୂର୍ବରୁ ଆବେଦନ ଫର୍ମ, ଆପତ୍ତି ଅଭିଯୋଗ ଆଦି ଉପରେ ଯାଞ୍ଚ କରାଯାଇ ୨୯୧୯ ଜାନୁଆରୀ ୪ରେ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଜିଲ୍ଲାର ସମସ୍ତ ରାଜନୈତିକ ଦଳର ବୋଥସ୍ତରୀୟ ଏଜେଣ୍ଟ, ସାଧାରଣ ଜନତା, ବୁଦ୍ଧିଜୀବୀମାନେ ଚିଠା ଭୋଟର ତାଲିକାର ତନଖି, ମତଦାତାମାନଙ୍କୁ ତାଲିକାଭୂକ୍ତ କରାଇବା ପାଇଁ ଜନସଚେତନତା ସୃଷ୍ଟି କରାଇବାକୁ ପରାମର୍ଶ ଦିଆଯାଇଛି । ଏଥି ନିମନ୍ତେ ସେମାନେ ଆବେଦନ ପତ୍ର ସଂଗ୍ରହ କରିବା ସହିତ ଏକକାଳୀନ ୩୦ରୁ ଅଧିକ ଆବେଦନ ଫର୍ମର ଦାଖଲ ଉପରେ କଟକଣା ଲାଗୁ କରାଯାଇଛି । ୨୦୧୯ରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ୱଚ୍ଛ ଭାବେ ପରିଚାଳନା କରାଇବା ନିମନ୍ତେ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ଭିଭିପେଟ ମେସିନ ବ୍ୟବହାର କରାଯିବ । ଏଥି ନିମନ୍ତେ ୧୨ ହଜାର ମେସିନ ଆସି ପହଁଞ୍ଚିଯାଇଛି । ଭିଭିପେଟ ମେସିନର କ୍ଷମତା ଅନୁସାରେ ଗ୍ରାମାଞ୍ଚଳରେ ରହିଥିବା ମତଦାନ କେନ୍ଦ୍ରଗୁଡ଼ିକରେ ସର୍ବାଧିକ ୧୨ଶହ ଓ ସହରାଞ୍ଚଳର ମତଦାନ କେନ୍ଦ୍ରଗୁଡ଼ିକରେ ୧୪ ଶହ ଭୋଟରଙ୍କୁ ସାମିଲ କରାଯାଇ ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବୁଥ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ସେହିପରି ପ୍ରତ୍ୟେକ ଭିଭିପେଟ ମେସିନରେ ୧୬ଟି ବଟନ ରହୁଥିବାରୁ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନଙ୍କ ସଂଖ୍ୟା ଅନୁସାରେ ଆବଶ୍ୟକ ମେସିନର ବ୍ୟବସ୍ଥା କରାଯିବ । ନିର୍ବାଚନ ସମୟରେ ବୁଥ ଓ ମେସିନର ବ୍ୟବହାର, ପରିଚାଳନା ଆଦି ଉପରେ ପ୍ରିଜାଇଡ଼ିଂ ଅଫିସର ଆଦିଙ୍କୁ ସମସ୍ତ ପ୍ରକାରର ତାଲିମ ପ୍ରଦାନ ଶେଷ ହୋଇଯାଇଛି । ମେସିନରେ ଭୋଟରମାନେ ତାଙ୍କର ପସନ୍ଦ ଅନୁସାରେ ପ୍ରାର୍ଥୀମାନଙ୍କୁ ଦେଉଥିବା ଭୋଟକୁ ମେସିନରୁ ବାହାରୁଥିବା ସ୍ଲିପରେ ଦେଖି ପାରିବେ । ଏହି ଭିଭିପେଟ ମେସିନର ବ୍ୟବହାରରେ ସ୍ୱଚ୍ଛତା ଉପରେ ଜନସାଧାରଣ, ସମସ୍ତ ରାଜନୈତିକ ଦଳ ଆଦିଙ୍କୁ ଡେମୋନଷ୍ଟ୍ରେସନ ମାଧ୍ୟମରେ ପ୍ରଦର୍ଶନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ।