ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପବିତ୍ର ଅଁଳା ନବମୀ ଓ ରାଧାପାଦ ଦର୍ଶନ ଲାଗି ବିଭିନ୍ନ ଦେବାଳୟରେ ଭିଡ ପରିଲିକ୍ଷିତ ହୋଇଛି । ଧର୍ମମାସ ତଥା ପବିତ୍ର କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ନବମୀ ତିଥିରେ ହେଉଥିବା ଅଁଳା ନବମୀରେ ସହରର ବଡରାଧାକାନ୍ତ ମଠ ଓ ନୃସିଂହନାଥ ମଠ ବ୍ୟତୀତ ସହରର ସମସ୍ତ ଦେବାଳୟରେ ବିଶେଷ କରି ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ବଡରାଧାକାନ୍ତ ମଠ ପରିସରରେ ଥିବା ଅଁଳା ଗଛର ମୂଳରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ ଭୋଜନ ପ୍ରସ୍ତୁତ କରି ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ଭୋଗ ଅର୍ପଣ କରିଥିଲେ। ପୌରାଣିକ କଥାନୁଯାୟୀ ପବିତ୍ର ଅଁଳା ନବମୀରେ ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ଭୋଗ ଅର୍ପଣ କଲେ ସମଗ୍ର କାର୍ତ୍ତିକ ମାସର ପୁଣ୍ୟ ଗୋଟିଏ ଦିନରେ ପ୍ରାପ୍ତି ହୋଇଥାଏ । ଏହା ସହ ଅଁଳା ନବମୀ ଦିନ ମହିଳାମାନେ ସନ୍ତାନ ପ୍ରାପ୍ତି ଓ ସନ୍ତାନମାନଙ୍କର ମଙ୍ଗଳ କାମନା କରି ଅଁଳାଗଛକୁ ପୂଜା କରିଥାନ୍ତି ।
ହଳଦୀ, ସିନ୍ଦୁର ଆଦି ଲଗାଇବା ପରେ ଗଛରେ କ୍ଷୀର ଅର୍ପଣ କରାଯାଇଥିଲା। ଏହାପରେ ଗଛ ଚାରିପଟେ ପରିକ୍ରମା କରାଯାଇ ଗଛରେ ନାଲି ସୂତା ଗୁଡାଇ ଥିବାର ଦେଖିବାକୁ ମିଳିଥିଲା । ହବିଷ୍ୟାଳୀମାନେ ଅଁଳା ଗଛ ମୂଳରେ ହବିଷାନ୍ନ ରାନ୍ଧିବା ସହ ଭୋଗ ଲଗାଇଥିଲେ । ସେହିପରି ଏହି ପବିତ୍ର ଦିନରେ ବିଭିନ୍ନ ମଠ ମନ୍ଦିରରେ ଅଷ୍ଟପ୍ରହରୀ ନାମଯଜ୍ଞ , ଅନ୍ନ ପ୍ରସାସ ବଣ୍ଟନ ଆଦି ଦିନତମାମ ଲାଗି ରହିଥିଲା। ଏଥି ଯୋଗୁଁ ସମଗ୍ର ସହର ଚଳଚଞ୍ଚଳ ଦେଖାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.