ରାଜ୍ୟରେ କୃଷି ଯାନ୍ତ୍ରିକୀକରଣକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି: କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ

0

କୃଷି ଶିଳ୍ପ ନିଗମ କାର୍ଯ୍ୟାବଳୀର ସମୀକ୍ଷା ବୈଠକ

ଭୁବନେଶ୍ୱର: କୃଷି ଯାନ୍ତ୍ରିକୀକରଣ ଦିଗରେ ଓଡ଼ିଶା କୃଷି ଶିଳ୍ପ ନିଗମର ପ୍ରମୁଖ ଭୂମିକା ରହିଛି । କୃଷି ଯାନ୍ତ୍ରିକୀକରଣର ଲାଭ ଏବଂ ରାଜ୍ୟ ସରକାର କୃଷି ଉପକରଣରେ ଚାଷୀମାନଙ୍କୁ ପ୍ରଦାନ କରୁଥିବା ପ୍ରୋତ୍ସାହନ ଓ ରିହାତି ଯେମିତି ହିତାଧିକାରୀଙ୍କ ନିକଟରେ ସିଧାସଳଖ ପହଞ୍ଚିପାରିବ ସେଥି ନିମନ୍ତେ ନିଗମ ପକ୍ଷରୁ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ
ଦେଇଛନ୍ତି ।
ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡ଼ିଶା କୃଷି ଶିଳ୍ପ ନିଗମର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ କୃଷି ଯାନ୍ତ୍ରିକୀକରଣକୁ କିପରି ବ୍ୟାପକ କରାଯାଇପାରିବ ସେ ବିଷୟରେ ଏକ ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରସ୍ତୁତ କରି ବିଭାଗକୁ ଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଆସନ୍ତା ସାତ ଦିନ ମଧ୍ୟରେ ନିଗମ ସମସ୍ତ କାର୍ଯ୍ୟକ୍ରମର ଏକ ବୈଷୟିକ ବିବରଣୀ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ରୁଗ୍‌ଣ ସଂସ୍ଥାମାନଙ୍କ ଦ୍ୱାରା ବ୍ୟବସାୟ ପାଇଁ ଯଦି ଅଧିକୃତ କିଛି ସରକାରୀ ଜମି ଥାଏ, ତା’ହେଲେ ତାକୁ ସାତଦିନ ମଧ୍ୟରେ ସରକାରୀ ଖାତାକୁ ଫେରାଇ ଆଣିବାକୁ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କୃଷି ଶିଳ୍ପ ନିଗମ ଦ୍ୱାରା ସଂଗ୍ରହ କରାଯାଉଥିବା କୃଷି ଯନ୍ତ୍ରପାତି ଓ ଆନୁଷଙ୍ଗିକ ସାମଗ୍ରୀ ପ୍ରକ୍ରିୟା ନିର୍ଭୁଲ ଓ ଲୋକାଭିମୁଖୀ କରିବାକୁ ପରାମର୍ଶ ଦେଇଥିଲେ ।
ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.