ସ୍କୁଲ ପିଲାଙ୍କୁ ଦିଆ ଯାଉଛି ପୋକଡା ଚାଉଳ ଭାତ !

0

ପିଲାଙ୍କୁ ଠିକ୍ ଖାଦ୍ୟ ନଦେଲେ ଆମେ ଆଉ ପିଲାଙ୍କୁ ସ୍କୁଲକୁ ଛାଡିବୁ ନାହିଁ : ଅଭିଭାବକ

ଉମରକୋଟ/ଜିତେନ୍ଦ୍ର ମହାନ୍ତି : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ମୁର୍ତ୍ତୁମା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା। ପିଲାଙ୍କୁ ଦିଆଯାଉଛି ପୋକରା ଚାଉଳ ଭାତ। ସୂଚନା ପ୍ରକାରେ, ମୁର୍ତ୍ତୁମା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତ ଜୁନ ମାସରେ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଆସିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଚାଉଳ ରନ୍ଧା ଯାଉଥିବା ବେଳେ, ଚାଉଳ ସମ୍ପୂର୍ଣ୍ଣ ଖରାପ ହୋଇ ଯାଇଥିବା ବେଳେ ଅଖାଦ୍ୟରେ ପରିଣତ ହୋଇଛି। ଚାଉଳରେ ପୋକ ସାଲୁବାଲୁ ହେଉଥିବା ବେଳେ, ଗତ କିଛି ଦିନ ହେବ ସେହି ଚାଉଳକୁ ପୁନଃ ପଲିସ୍ କରାଯାଇ ପିଲାଙ୍କୁ ଖାଇବାକୁ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଏବଂ ପିଲାମାନେ। ଫଳରେ ଅନେକ ସମୟରେ ପିଲାଙ୍କ ଶରୀର ମଧ୍ୟ ଖରାପ ହେଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ। କିଛି ଦିନ ହେବ ଏହିପରି ଅବ୍ୟବସ୍ଥା ଚାଲିଥିବା ବେଳେ ଆଜି ବାଧ୍ୟ ହୋଇ ଅଭିଭାବକ ମାନେ ବିଦ୍ୟାଳୟରେ ପହଁଚି ହୋହାଲ୍ଲା କରିବା ସହ ଏଥିରେ ପିଲାଙ୍କ ଜୀବନ ସହ ଖେଳ ଖେଳୁଥିବା ଶିକ୍ଷକ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ମା ଲକ୍ଷ୍ମୀ ଏସଏଚଜି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଭିଭାବକ।

ଏଥି ସହ ଉକ୍ତ ଏସଏଚଜିକୁ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କାର୍ଯ୍ୟରୁ ବାହାର କରି ଅନ୍ୟ ଏସଏଚଜିକୁ ମଧ୍ୟାହ୍ନ ଭୋଜନ ରନ୍ଧନ ଦାୟିତ୍ଵ ଦେବା ପାଇଁ ଲିଖିତ ଦାବି ଜଣାଇଛନ୍ତି ଅଭିଭାବକ। ତେବେ, ପ୍ରଥମେ ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ଖଣ୍ଡେଲ ଘଟଣାକୁ ଅସ୍ୱୀକାର କରି ପିଲାଙ୍କୁ ଭଲ ଚାଉଳ ଦିଆ ଯାଇଥିବା କହିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଉକ୍ତ ପୋକରା ଚାଉଳକୁ ପଲିସ୍ କରି ପିଲାଙ୍କୁ ରାନ୍ଧି ଦିଆ ଯାଉଥିବା ସ୍ୱୀକାର କରିଥିଲେ। ସେହିପରି ମଧ୍ୟାହ୍ନ ଭୋଜନ ଦାୟିତ୍ଵରେ ଥିବା ଶିକ୍ଷକ ସରୋଜ କୁମାର ସାହୁ କହିଛନ୍ତି ଯେ, ବର୍ତ୍ତମାନ ବିଦ୍ୟାଳୟରେ ୧୧ କ୍ୱିଣ୍ଟାଲ ଚାଉଳ ମହଜୁଦ ଅଛି। ତହିଁରୁ ତିନି କ୍ୱିଣ୍ଟାଲ ଚାଉଳକୁ ସୋମବାର ପଲିସ୍ କରି ଆଣି ଆଜି ପିଲାଙ୍କୁ ଖାଇବାକୁ ଦିଆଯାଇଛି। ପିଲାଙ୍କୁ ପୋକରା ଚାଉଳ ରାନ୍ଧି ଦିଆଯାଇ ନାହିଁ। ଖବର ପାଇ ଉମରକୋଟ ବିଇଓ ବିକାଶ ଚନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ଏବିଇଓ ପୁରଷୋତ୍ତମ ମାଝୀ ବିଦ୍ୟାଳୟରେ ପହଂଚି ଘଟଣାର ସତ୍ୟାସତ୍ୟ ତଦନ୍ତ କରିବା ସହ ଯଥାଶୀଘ୍ର ଉକ୍ତ ଚାଉଳକୁ ସିଜ୍ କରାଯିବା ସହ ବିଦ୍ୟାଳୟକୁ ଭଲ ଚାଉଳ ଯୋଗାଇବା ବ୍ୟବସ୍ଥା କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ତେବେ, ଅନେକ ଦିନରୁ ଏହି ଚାଉଳ ଖରାପ ହୋଇଥିଲେ ମଧ୍ୟ ବିଦ୍ୟାଳୟର ଶିକ୍ଷକ ଏବଂ ବିଭାଗୀୟ ଅଧିକାରୀ କିଭଳି ଏଦିଗରେ କୌଣସି ପଦକ୍ଷେପ ନନେଇ ଚୁପ୍ ବସି ରହିଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି ଗ୍ରାମବାସୀ। ଏଥି ସହ ବିଦ୍ୟାଳୟରେ ପିଲାଙ୍କୁ ଠିକ୍ ଖାଦ୍ୟ ନଦେଲେ ଆମେ ଆଉ ପିଲାଙ୍କୁ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଛାଡିବୁ ନାହିଁ ବୋଲି କହିଛନ୍ତି ଅଭିଭାବକ।

Leave A Reply

Your email address will not be published.