ଈଶ୍ୱର ଚନ୍ଦ୍ର ନାୟକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

0

ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର : ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତିଙ୍କଠାରୁ ଓଡ଼ିଶାର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ମନ୍ତ୍ରୀ ଶ୍ରୀ ଦାଶ ଶିକ୍ଷକତା ବୃତ୍ତି ପ୍ରତି ଶ୍ରୀ ନାୟକଙ୍କର ନିଷ୍ଠା ଓ ସାମାଜିକ କର୍ତ୍ତବ୍ୟବୋଧର ଉଚ୍ଚପ୍ରଶଂସା କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ନିମାପଡ଼ା ତଥା ସମଗ୍ର ରାଜ୍ୟ ତାଙ୍କ ପାଇଁ ଗୌରବାନ୍ୱିତ ବୋଲି ଉଲ୍ଲେଖ କରିଛନ୍ତି ।
ଜାତୀୟ ଶିକ୍ଷକ ପୁରସ୍କାର ତାଲିକାରେ ଓଡ଼ିଶାର ଏକମାତ୍ର ଶିକ୍ଷକ ଭାବେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍‌ ଶଗଡ଼ା ପଞ୍ଚାୟତ କନପୁର ପ୍ରାଥମିକ ବିଦ୍ୟାଳୟର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକଙ୍କ ନାମ ପ୍ରକାଶିତ ହୋଇଥିବା ଜଣାପଡ଼ିବା ପରେ ସାରା ରାଜ୍ୟରେ ଆନ୍ଦର ଲହରୀ ଖେଳି ଯାଇଛି । ଅଧୁନା ଶ୍ରୀ ନାୟକ ନିମାପଡ଼ା ବ୍ଲକ ବାଙ୍ଗରୁଷପାଟଣା ଗ୍ରାମର ଈଶ୍ୱର ଚନ୍ଦ୍ର ସଗଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ଶ୍ରୀ ନାୟକ ପୂର୍ବରୁ ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ନିକଟରେ ତାଙ୍କର ଲିଖିତ ପୁସ୍ତକକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ପ୍ରଶଂସା ମିଳିଛି । ନିଜ ଗ୍ରାମ ବାଙ୍ଗୁରୁଷପାଟଣାରେ ସେ ଷ୍ଟୁଣ୍ଡେଣ୍ଟ ନଲେଜ ସେଣ୍ଟର ଓ ଲାଇବ୍ରେରୀ ପ୍ରତିଷ୍ଠା କରିଛନ୍ତି । ଏହି ନଲେଜ ସେଣ୍ଟରରେ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ କମ୍ପୁ୍ୟଟର ଶିକ୍ଷା ପ୍ରଦାନ କରାଯାଉଛି ।
ପ୍ରକାଶଯୋଗ୍ୟ ଯେ ଦେଶର ୪୬ ଜଣ କୃତୀ ଶିକ୍ଷକ ଏହି ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ନାୟକ  ରାଷ୍ଟ୍ରପତିଙ୍କଠାରୁ ଆସନ୍ତା ସେପେଫମ୍ବର ୫ ତାରିଖ ଦିନ ଏହି ପୁରସ୍କାର ଗ୍ରହଣ କରିବେ ।

Leave A Reply

Your email address will not be published.