ଉମରକୋଟ/ ଜିତେନ୍ଦ୍ର କୁମାର ମହାନ୍ତି: ସାଧାରଣତଃ ଖାଲି ଡବା, ବୋତଲ ଆଦିକୁ ଆମେ ବର୍ଜ୍ୟବସ୍ତୁ କହି ଫିଙ୍ଗି ଦେଇ ଥାଉ। ତେବେ ଏହି ବର୍ଜ୍ୟବସ୍ତୁ ଗୁଡିକୁ ପୁଣି ଥରେ ଜୀବନ୍ତ କରୁଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ପୁରୁଣା କୋର୍ଟ ସାହିର ଶ୍ରୀକାନ୍ତ ନନ୍ଦଙ୍କ ହାତର ପରଶ। ଜଗନ୍ନାଥ ମୟ ହୋଇ ଉଠୁଛି ସବୁ କିଛି। ବାପା ସ୍ଵର୍ଗତ କାହ୍ନୁଚରଣ ନନ୍ଦ ଏବଂ ମା ଅର୍ଣ୍ଣପୂର୍ଣ୍ଣା ନନ୍ଦଙ୍କ ସର୍ବ କନିଷ୍ଠ ପୁତ୍ର ଶ୍ରୀକାନ୍ତ ନନ୍ଦ (୩୦)। ବଡ଼ ଭାଇ ତ୍ରିନାଥ ନନ୍ଦ ପେସାରେ ଜଣେ ସିଲେଇ କାରିଗର ହୋଇଥିବା ବେଳେ ସେ ନିଜର ଏକ ସିଲେଇ ଦୋକାନ କରି ପରିବାର ଚଳାଇଥାନ୍ତି। ସେହିପରି ମଝିଆ ଭାଇ ତ୍ରିପତି ନନ୍ଦ ସେ ଏକ ମୋବାଇଲ୍ ଆସବାବ ପତ୍ର ଦୋକାନ କରି ପରିବାର ଚଳାଇବାରେ ସାହାଯ୍ୟ କରିଥାନ୍ତି। ସାନ ଭାଇ ଶ୍ରୀକାନ୍ତ ମଧ୍ୟ ଦୋକାନ ଚଳାଇ ଥାନ୍ତି। ତେବେ ସମୟ ମିଳିଲେ ସେ ବସି ପଡ଼ନ୍ତି ରଙ୍ଗ ତୁଳୀ ଧରି। ଆଉ ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଥିବା ଅଶେଷ ଭକ୍ତିଭାବ ଏବଂ ଶ୍ରଦ୍ଧାକୁ ସେ ବିଭିନ୍ନ ବର୍ଜ୍ୟବସ୍ତୁ ଉପରେ ରଙ୍ଗ ତୁଳୀ ଦେଇ ଜଗନ୍ନାଥ ମୟ କରି ଶ୍ରୀକାନ୍ତ ନିଜ ପାଇଁ ଏବେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ପିଲାଟି ଦିନରୁ ମାଆ ଅର୍ଣ୍ଣପୂର୍ଣ୍ଣା ଦେବୀଙ୍କ ଠାରୁ ପ୍ରେରଣା ପାଇ ଶ୍ରୀକାନ୍ତଙ୍କ ଠାରେ ମଧ୍ୟ ତୁଳସୀ ଦୁଇ ପତ୍ରରୁ ବସିଲା ଭଳି ଶ୍ରୀକାନ୍ତଙ୍କ ଠାରେ କଳା ପ୍ରତି ଥିବା ତାଙ୍କ ଦୁର୍ବଳତା ପ୍ରଷ୍ପୁଟିତ ହୋଇ ଯାଇଥିଲା। ପ୍ରଥମେ ପ୍ରଥମେ ଶ୍ରୀକାନ୍ତ ମାଟିରେ ଏବଂ ସିମେଣ୍ଟରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ଗଣେଶଙ୍କ ମୂର୍ତି ତିଆରି କରୁଥିଲେ। କିନ୍ତୁ ଦିନକୁ ଦିନ ବାହାରେ ଫିଙ୍ଗା ଯାଉଥିବା ବୋତଲ ଆଦିକୁ ଦେଖି ସେଗୁଡିକୁ ପୁଣି ଜୀବନ୍ତ କରିବାକୁ ଚିନ୍ତା କରିଥିଲେ। ବିଭିନ୍ନ ଥଣ୍ଡା ପାନୀୟ ବୋତଲ, ତେଲ ବୋତଲ, ମଦ ବୋତଲ ଆଦିରେ ଖୁବ୍ ସୁନ୍ଦର୍ ଜଗନ୍ନାଥ ପ୍ରତିମା ତିଆରି କରି ଲୋକଙ୍କୁ ମାଗଣାରେ ଯୋଗାଇ ଦେଇଛନ୍ତି ଶ୍ରୀକାନ୍ତ। ଏଥି ସହ ଚକ୍ ଖଡିରେ ମଧ୍ୟ ଜଗନ୍ନାଥ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ଏହାକୁ ସେ ବୃତ୍ତି ଭାବରେ ଗ୍ରହଣ ନକରି ଜଗନ୍ନାଥଙ୍କ ପ୍ରତି ଥିବା ତାଙ୍କ ଭକ୍ତି ପାଇଁ ସଉକରେ ଏହି ପ୍ରତିକୃତି ତିଆରି କରୁଥିବା କହିଛନ୍ତି ଶ୍ରୀକାନ୍ତ। ଶ୍ରୀକାନ୍ତ ଏବେ ଛୋଟରୁ ଛୋଟ ଜିନିଷରେ ଜଗନ୍ନାଥଙ୍କ ପ୍ରତିକୃତି ତିଆରି କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ, ଆଗାମୀ ଦିନରେ ଧାନ, ଚାଉଳ, ସୋରିଷ ଆଦି ଶସ୍ୟରେ ମଧ୍ୟ ଜଗନ୍ନାଥଙ୍କ ପ୍ରତିକୃତି ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥି ସହ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ପିଲାଙ୍କୁ ଏହି ସବୁ କଳାକୃତିର ମାଗଣା ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖିଛନ୍ତି ଶ୍ରୀକାନ୍ତ। ଶ୍ରୀକାନ୍ତଙ୍କ ଏହି କଳାକୃତି ଏବେ ତାଙ୍କ ପାଇଁ ଏବଂ ତାଙ୍କ ପରିବାର ଲୋକଙ୍କ ପାଇଁ ସ୍ଵତନ୍ତ୍ର ପରିଚୟ ଆଣି ଦେଇଥିବା ବେଳେ, ସରକାରୀ କିମ୍ବା ବେସରକାରୀ ସଂସ୍ଥା ପକ୍ଷରୁ ପ୍ରୋତ୍ସାହନ ମିଳିଲେ ଆଗକୁ ଆହୁରି ଅନେକ କଳାକୃତି ତିଆରି କରି ପାରିବେ ବୋଲି କହିଛନ୍ତି ଶ୍ରୀକାନ୍ତ।
Sign in
Sign in
Recover your password.
A password will be e-mailed to you.