ଲାଗିରହିଛି ଝାଡ଼ାବାନ୍ତି, ଜଳ ଉତ୍ସ ଉପରେ କଡା ନଜର।

0

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ଡାଇରିଆ ହଇଜା ବୋଲି ସ୍ପଷ୍ଟ ହୋଇଛି। ଦୂଷିତ ପାଣି ପିଇ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତମାନ ଏହା ହଇଜା ଆଡ଼କୁ ମୁଁହାଇଥିବା ଗତକାଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ। ଏହାପରେ ଉକ୍ତ ନଦୀ, ନାଳ ଓ ଅନ୍ୟ ଜଳ ଉତ୍ସ ବିଶୋଧନ କରିବା ପାଇଁ ନିଷ୍ପତ୍ତି ହୋଇଛି। କୋରାପୁଟ ଜିଲ୍ଲା ଦଶମନ୍ତପୁର ଠାରୁ ବାହାରିଥିବା ନଦୀ ହଇଜା ଉତ୍ପତ୍ତିସ୍ଥଳୀ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି। ତେଣୁ ସେଗୁଡିକ ବିଶୋଧନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଦଶମନ୍ତପୁର ଠାରୁ ବାହାରି କାଶୀପୁର ବ୍ଲକର ବିଭିନ୍ନ ଗାଁ ଦେଇ ପ୍ରବାହିତ ହେଉଥିବା ନଦୀ ନାଳ ସମେତ ଅନ୍ୟ ଜଳ ଉତ୍ସ ଗୁଡ଼ିକ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ସ୍ଥିତି ନିୟନ୍ତ୍ରଣକୁ ଆସିବା ଓ ଜଳ ବିଶୋଧନ ହେବା ପର୍ଯ୍ୟନ୍ତ ସେ ସ୍ଥାନର ଜଳ ବ୍ୟବହାର ଅନୁପଯୋଗୀ ବୋଲି ଘୋଷଣା କରାଯାଇଛି। ଅପରପକ୍ଷରେ ଝାଡ଼ାବାନ୍ତିରେ ୫୦ ଜଣ ବର୍ତ୍ତମାନ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୂର୍ବରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଆଜି ଆକ୍ରାନ୍ତ ସଂଖ୍ୟା ବଢିନଥିବା ସୂଚନା ମିଳିଛି। ଦୂଷିତ ପାଣି ପାଇଁ ଏହିଭଳି ଘଟୁଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ମେଡିକାଲ ଟିମ୍ ସେହି ଅଞ୍ଚଳ ଗାଁ ମାନଙ୍କରେ କ୍ୟାମ୍ପ କରିଛନ୍ତି। ଆରଏମଆରସି ତରଫରୁ ଏକ ଟିମ୍ ପ୍ରଭାବିତ ଗ୍ରାମ ଗୁଡିକରେ ଜଳ ଓ ମଳ ନମୁନା ସଂଗ୍ରହ କରିବା ପରେ ହଇଜା ଜୀବାଣୁ ଜଳରେ ଥିବା ଜଣାପଡିଛି। ଏଥିସହ ଜିଲ୍ଲା ଜନସ୍ବାସ୍ଥ୍ୟ ଲ୍ୟାବ ରିପୋର୍ଟ ମଧ୍ୟ ସେହି ଆଡ଼କୁ ପୂର୍ବରୁ ଇଙ୍ଗିତ କରିଥିଲେ । ତେବେ ପରୀକ୍ଷା ସମ୍ପୂର୍ଣ୍ଣ ହେବା ପରେ ସ୍ପଷ୍ଟ କରିଛନ୍ତି ଆରଏମଆରସି ଟିମ୍ ମୁଖ୍ୟ। ପ୍ରକାଶ ଯେ ଆଜି ମଧ୍ୟ କାଶୀପୁର, ଟିକିରି, ମାଣ୍ଡିବିସି, ଉଷାପଡା ଓ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି। ଖୁରିଗାଁ, ସୁରୁଗୁଞ୍ଜା, ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ,ପୋଡାପାଡ଼ି,ବଡମାରିଭଟ୍ଟା, କାକୁଡିପଦର, ରାଉତଘାଟି ଭଳି ବିଭିନ୍ନ ଗାଁ ମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି। ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ପୂର୍ବରୁ ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରତି ଗାଁ କୁ 4 ଟି ଟ୍ୟାଙ୍କର ମଧ୍ୟମରେ ପାଣି ଯୋଗାଈବା ସହ 4 ଟି କ୍ଲୋରିନେସନ ଟିମ କାର୍ଯ୍ୟ କରୁଛନ୍ତି |

Leave A Reply

Your email address will not be published.