ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର ଭାଳିଆଗଣି ଗ୍ରାମରେ ଗତ ୨ ଦିନ ତଳେ ପାରିବାରିକ କଳହ ଯୋଗୁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବେ ପଥରେ ଛେଚି ହତ୍ୟା କରିବା ପରେ ମୋହନା ପୋଲିସ ଦ୍ବାରା ଗିରଫ ହୋଇଥିଲେ।
ଉକ୍ତ ପରିବାରର ୪ଟି ଶିଶୁ ଯାହାଙ୍କ ବୟସ ୬ବର୍ଷ , ୪ବର୍ଷ , ୨ବର୍ଷ ଓ ୫ମାସ ବର୍ତ୍ତମାନ ଏକ ପ୍ରକାରେ ମାତୃପିତୃ ହୀନ ହୋଇ ନିରାଶ୍ରୟ ଅବସ୍ଥାରେ ଥିଲେ।
ଏପରିକି ଶିଶୁ ମାନଙ୍କର ମାମୁ , ମାଇଁ ଓ ମାଉସୀ ଥିଲେ ବି ଶିଶୁ ମାନଙ୍କର ଦାୟିତ୍ଵ ନେବାଲାଗି କେହି ରାଜି ନଥିଲେ।
ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଉକ୍ତ ଶିଶୁ ମାନଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସାମାଜିକ କର୍ମୀ ସୁବାସିତ ପାଣି , ଏ ଏନ୍ ଏମ୍ ସରିତା ନାୟକ , ଆୟା ସଂଗୀତା ନାୟକ ଉକ୍ତ ଗ୍ରାମକୁ ଯାଇ ଶିଶୁ ମାନଙ୍କୁ ଉଦ୍ଧାର କରି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିକୁ ଫେରିଛନ୍ତି।
ବର୍ତ୍ତମାନ ଶିଶୁ ମାନେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର , ନିସାନରେ ଯତ୍ନ ଓ ସୁରକ୍ଷାର ସହ ରହୁଥିବା ବେଳେ ଆସନ୍ତା ଦିନରେ ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତି , ଗଜପତିରେ ଉପସ୍ଥାପନ କରି ସେମାନଙ୍କ ନିଷ୍ପତ୍ତି କ୍ରମେ ଶିଶୁମାନଙ୍କୁ ଥଇଥାନ କରାଯିବ। ପିଲା ମାନଙ୍କର ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ଦ୍ବାରା ବହନ କରାଯିବ ବୋଲି ଏକ ଲିଖିତ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.