ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦାଦାଗିରି. ପ୍ରଶାସନ ନୀରବ 

0

 ଜାମଝୁଲି ଗ୍ରାମରେ ବଳପୁର୍ବକ ରାସ୍ତା ଅବରୋଧ ଅଭିଯୋଗ

 ନ୍ୟାୟ ଭିକ୍ଷା ପାଇଁ ଗ୍ରାମବାସୀ ହେଲେ ପ୍ରଶାସନର ଦ୍ୱାରସ୍ଥ

ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ପଂଚାୟତ ର ଜାମଝୁଲି ଗ୍ରାମରୁ ପୁର୍ତରାସ୍ତାକୁ ସଂଯୋଗ କରୁଥିବା ନିତିଦିନିଆ ରାସ୍ତାକୁ ସ୍ଥାନୀୟ  ଜଣେ ପ୍ରଭାବଶାଳୀ ବ୍ୟକ୍ତି ନିଜ ରେକର୍ଡ ରେ ଥିବା ଦର୍ଶାଇ ବଳପୁର୍ବକ ରାସ୍ତା ଅବରୋଧ କରିବା ଫଳରେ ଯାତାୟାତରେ ଅସୁବିଧା ଯୋଗୁଁ ଏହାର ପ୍ରତିକାର ପାଇଁ ଗ୍ରାମବାସୀ  ମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାଇ ଆଜକୁ  ପ୍ରାୟ ୫୦ ବର୍ଷ ହେବ ହରଭଙ୍ଗା ରାଜସ୍ୱ ଗ୍ରାମ ଅଧିନରେ ଥିବା ଏକ ସ୍ଥାନରେ କିଛି ପରିବାର ଯାଇ ବସବାସ କରିବା ପରେ କ୍ରମଶ ଏହା ଜାମଝୂଲି ଗ୍ରାମ ଭାବେ ପରିଚିତ ହୋଇଥିଲା  । ସମ୍ପ୍ରତି ଏହି ଗ୍ରାମରେ ପ୍ରାୟ ୪୦ ଟି ପରିବାର ର ୨୫୦ ରୁ ଉର୍ଦ୍ଧ ସଦସ୍ୟ ବସବାସ କରିଆସୁଛନ୍ତି । ଏହି ଗ୍ରାମର ଲୋକମାନଙ୍କ ଯାତାୟାତ ଓ ଗମନାଗମନର ସୁବିଧା ପାଇଁ ବିଗତ ଦିନରେ ପଂଚାୟତ ଓ ବ୍ଲକ ପକ୍ଷରୁ ପୁର୍ତ ରାସ୍ତାରୁ ଜାମଝୁଲି ଗ୍ରାମକୁ ପର୍ଯ୍ୟାୟ କ୍ରମେ ମାଟି ମୋରମ ପକାଇ ନିତିଦିନିଆ ରାସ୍ତା ନିର୍ମାଣ କରାଯିବା ସହିତ ଗୋଟିଏ କଲଭଟ  ଓ କିଛି ରାସ୍ତାକୁ କଂକ୍ରିଟ ମଧ୍ୟ କରାଯାଇଥିଲା । ମାତ୍ର କିଛି ଦିନ ହେଲା ହରଭଙ୍ଗା ଅଂଚଳର ଜୈନିକ ବ୍ୟକ୍ତି ଉକ୍ତ ରାସ୍ତା ସହିତ ଏହାକୁ ଲାଗି ରହିଥିବା ଜମିକୁ ପୁର୍ବରୁ ଜବରଦଖଲ କରି ଆସୁଥିବା ଓ ନିଜ ନାମରେ ରେକର୍ଡ କରାଇ ଦେଇଥିବା ଦାବୀ କରି ଜେସିବି ମେସିନ ଲଗାଇ ବଳପୁର୍ବକ ଭାବେ ରାସ୍ତା ଖୋଳି ଗ୍ରାମବାସୀଙ୍କୁ ଯିବାଆସିବା ପାଇଁ  ରୋକିଥିବା ଅଭିଯୋଗ ହେଉଛି । ଫଳରେ ଗ୍ରାମରେ ବସବାସ କରୁଥିବା ଲୋକଙ୍କ ସମେତ ସ୍କୁଲ ଓ କଲେଜରେ ପାଠପଢୁଥିବା ଛାତ୍ରଛାତ୍ରୀ ମାନେ ଯାତାୟାତ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବାରୁ ବାଧ୍ୟ ହୋଇ ସେମାନେ ଶନିବାର ଦିନ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିବା ପାଇଁ ଯାଇଥିଲେ । 

ହେଲେ ଜିଲ୍ଲାପାଳ ଅନୁପସ୍ଥିତ ଯୋଗୁଁ ଭେଟି ନପାରି ହରଭଙ୍ଗା ତହସିଲଦାର ଓ ବିଡିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି । ସେମାନଙ୍କ ସମସ୍ୟାକୁ ଦୃଷ୍ଟି ଆଗରେ ରଖି ପ୍ରଶାସନ ପକ୍ଷରୁ ରାସ୍ତା ଅବରୋଧ ହଟାଇବା ଦିଗରେ ବିହିତ ପଦକ୍ଷେପ ନିଆନଗଲେ ଆସନ୍ତା ମାସ ହରଭଙ୍ଗା ବ୍ଲକରେ ହେବାକୁ ଥିବା ଜନଶୁଣାଣୀ ଆଗରେ ପିଲାଛୁଆ ଧରି ଧାରଣା ଦେବେ ବୋଲି ଗ୍ରାମର ଇଶ୍ୱର ପ୍ରଧାନ, ଅଶୋକ ଅମାତ୍, ନାରାୟଣ ଦେହୁରୀ, ଅନିଲ୍ ଦାସ୍, ଅନିତା ଅମାତ୍, ମମତା ସାହୁ, କୁମଦିନୀ ପ୍ରଧାନ ପ୍ରମୁଖ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।  

Leave A Reply

Your email address will not be published.