କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ / ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ସ୍ନାନୋତ୍ସବ ଓ ଗଜବେଶ ମହାଆଡ଼ମ୍ବରରେ ପାଳନ କରାଯାଇଛି । ଆଜି ସକାଳୁ ପୂଜକ ରୀତିନୀତି ଅନୁଯାୟୀ ଭୋଗ ଲାଗି କରିବା ପରେ ଶ୍ରୀଜୀଉଙ୍କୁ ସିଂହାସନରୁ ଓହ୍ଲାଇଥିଲେ । ଅପରାହ୍ନରେ ସେବାୟତମାନେ ଉପସ୍ଥିତ ରହି ଶ୍ରୀଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରା ଓ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ନେଇଥିଲେ । ଏହାପରେ ସେବାୟତଙ୍କ ଦ୍ୱାରା ନାଗାବଳୀ ନଦୀରୁ ସୁବାସିତ ଜଳ ନେଇ ପୁରହିତ ନରସିଂହ ତ୍ରିପାଠୀଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ସୁବାସିତ ଜଳରେ ଶ୍ରୀ ଜୀଉଙ୍କ ସ୍ନାନ କରିଥିଲେ । ଅପରାହ୍ନ ୫ଟାରେ ଶ୍ରୀଜୀଉଙ୍କୁ ସେବାୟତମାନେ ଗଜ ବେଶରେ ସୁସଜିତ କରାଇଥିଲେ । ଶ୍ରୀଜୀଉ ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହି ଉତ୍ସବ ଦେଖିବା ପାଇଁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା । ସନ୍ଧ୍ୟା ୭ଟା ୨୦ ମଧ୍ୟରେ ଶ୍ରୀଜୀଉଙ୍କୁ ଅଣସର ଘରକୁ ନିଆଯିବ ଏବଂ ଶ୍ରୀମନ୍ଦିରରେ ଅଲାରନାଥଙ୍କ ପୂଜା କରାଯିବ ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ କହିଛନ୍ତି । ଏହି ଉତ୍ସବ ବିଧିବଦ୍ଧ ଭାବେ ସମ୍ପନ୍ନ କରାଯାଇଛି । ଏଥିରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ବିଭାଗ ସଜାଗ ରହିଥିବା ବେଳେ ରାଜସ୍ୱ ଅଧିକାରୀ ସତ୍ୟଜିତ ଦାସ, ନୟନ ଗୌଡ଼, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ବଳରାମ ପାତ୍ର, ସହକାରୀ ରାଜସ୍ୱ ଅଧିକାରୀ ଅନୁପ ମାର୍ଥା ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ମନ୍ଦିରପରିଚାଳନା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.