ପୁରୀ, (ଅନିମେଶ ପଟ୍ଟନାୟକ): ସ୍ମୃତିରେ ଭାବବିହ୍ୱଳ ହେଲେ ଉପସ୍ଥିତ ଅତିଥି ଓ ଶୁଭେଚ୍ଛୁ। ଜଣେ ନିଷ୍ଠାବାନ ରାଜନେତା, ଦୂରଦୃଷ୍ଟିସମ୍ପନ୍ନ ଶିକ୍ଷାବିତ୍ ତଥା ସମାଜସେବୀ ଭାବେ ଡଃ ବିଶ୍ୱନାଥ ରଥଙ୍କ ଅବଦାନକୁ ମନେ ପକାଇ ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବିଶିଷ୍ଟ ବ୍ୟକ୍ତିବିଶେଷ। ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ପୁରୀ ଗୋପାଳପୁରସ୍ଥିତ ଆଇଏମଟି ଫାର୍ମାସୀ କଲେଜ ପରିସରରେ ଆୟୋଜିତ ସ୍ମୃତିସଭାରେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ସ୍ୱର୍ଗତ ରଥଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ। ସତ୍ୟ, ଧର୍ମ ଓ କର୍ତ୍ତବ୍ୟନିଷ୍ଠାର ଜ୍ୱଳନ୍ତ ଉଦାହରଣ ଥିଲେ ସ୍ୱର୍ଗତ ରଥ ଏବଂ ତାଙ୍କ ଆଦର୍ଶମୟ ଜୀବନ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ବାଚସ୍ପତି କହିଥିଲେ।
ପୁରୀ ଗୋପାଳପୁରସ୍ଥିତ ଆଇଏମଟି ଫାର୍ମାସୀ କଲେଜ ପରିସରରେ ଆୟୋଜିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ସ୍ୱର୍ଗତ ରଥଙ୍କ ସ୍ମୃତିଚାରଣ କରିଥିଲେ। ସେ ସତ୍ୟ, ଧର୍ମ ଓ କର୍ତ୍ତବ୍ୟନିଷ୍ଠାର ଜଣେ ଜ୍ୱଳନ୍ତ ଉଦାହରଣ ଥିଲେ। ତାଙ୍କର ଆଦର୍ଶମୟ ଜୀବନ ଆଗାମୀ ପିଢ଼ିକୁ ସର୍ବଦା ପ୍ରେରଣା ଯୋଗାଇବ ବୋଲି ବାଚସ୍ପତି ମତବ୍ୟକ୍ତ କରିଥିଲେ।
ଆଇଏମଟି ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷା ପଙ୍କଜିନୀ ରଥ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସ୍ମୃତିସଭାକୁ ସମ୍ବୋଧିତ କରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରମାରଞ୍ଜନ ବଳିୟାରସିଂହ ଓ ସଞ୍ଜିବନୀ ହସ୍ପିଟାଲର ମୁଖ୍ୟ ଡାକ୍ତର ଦେବେନ୍ଦ୍ର ନାଥ ତରାଇ।
ଆଇଏମଟିର ପ୍ରଶାସନିକ ନିର୍ଦ୍ଦେଶକ ତଥା ସ୍ୱର୍ଗତ ରଥଙ୍କ ପୁତ୍ର ମନୋଜ ରଥ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ମଞ୍ଚରେ ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବ, ସୁରଥ ବିଶ୍ୱାଳ ଓ ପ୍ରଭଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ପୁରାତନ ମଠର ମଠାଧୀଶ ଓ ସାଧୁସନ୍ଥଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକ ଗରିମା ପ୍ରଦାନ କରାଯାଇଥିଲା। ପାପୁଡ଼ିଆ ମଠର ରାମକୃଷ୍ଣ ଦାସ ମହାରାଜ, ନେବଳଦାସ ମଠର ରାମଚରଣ ଦାସ ମହାରାଜଙ୍କ ସମେତ ରାଧାବଲ୍ଲଭ ମଠ, ମଣିରାମ ମଠ, ବଡ଼ଛତା ମଠ, ସାନଛତା ମଠ, ମହିପ୍ରକାଶ ମଠ, ହାତୀ ଆଖଡ଼ା ମଠ, ବଳଗଣ୍ଡି ମଠ ଆଦିର ସନ୍ଥ ଓ ମହନ୍ତମାନେ ଯୋଗଦେଇଥିଲେ।