ଆଇଜର ପୁଣେରେ ଅତ୍ୟାଧୁନିକ ସୁବିଧା ଗବେଷଣା ଏବଂ ନବସୃଜନକୁ ଗତି ଦେବ – ଧର୍ମେନ୍ଦ୍ର ପ୍ରଧାନ

0

ଆଇଜର,ପୁଣେ ଠାରେ ବିଭିନ୍ନ ସୁବିଧାର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

– ଡିପାର୍ଟମେଂଟ୍ ଅଫ୍ ଡାଟା ସାଇନ୍ସର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
– ନ୍ୟାସନାଲ ଫାସିଲିଟି ଫର୍ ଜିନ୍ ଫାଉଣ୍ଡେସନ ଇନ୍ ହେଲଥ ଏଣ୍ଡ୍ ଡିଜିଜ୍‌ର ଉଦଘାଟନ
– ସ୍ୱାସ୍ଥ୍ୟସେବା କ୍ଷେତ୍ର ଏବଂ ମେଡିକାଲ ଶିକ୍ଷା ପାଇଁ ସହାୟକ ହେବ

ପୁଣେ, – ଦୁଇଦିନିଆ ପୁଣେ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ପୁଣେ ସ୍ଥିତ ଭାରତୀୟ ବିଜ୍ଞାନ ଏବଂ ଗବେଷଣା ସଂସ୍ଥା(ଆଇଜର)ର ‘ଡିପାର୍ଟମେଂଟ୍ ଅଫ୍ ଡାଟା ସାଇନ୍ସ’ର ଶିଳାନ୍ୟାସ କରିବା ସହ ‘ନ୍ୟାସନାଲ ଫ୍ୟାସିଲିଟି ଫର୍ ଜିନ୍ ଫାଉଣ୍ଡେସନ ଇନ୍ ହେଲଥ ଏଣ୍ଡ୍ ଡିଜିଜ୍‌’ର ଉଦଘାଟନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଲୋକାର୍ପିତ ଏହି ଅତ୍ୟାଧୁନିକ ସୁବିଧା ଗବେଷଣା ସହ ନବସୃଜନକୁ ବ୍ୟାପକ କରିବ । ଜୈବିକ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବା ସହ ପାଥୋଜେନକୁ ବୁଝିବାରେ ସହାୟକ ହେବ । ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତନ ଆଣୁଥିବା ବେଳେ ଏହି ପଦକ୍ଷେପ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତନ ଆଣିବ ।

ଆଇଜର ପୁଣେରେ ଶିଳାନ୍ୟାସ ହୋଇଥିବା ଡ଼ାଟା ସାଇନ୍ସ ବିଜ୍ଞାନ ପ୍ରତିଷ୍ଠା ହେବା ଦ୍ୱାରା କ୍ୟାମ୍ପସ ପରିସରରେ ଥିବା ପରମ ବ୍ରହ୍ମ ସୁପର କମ୍ପ୍ୟୁଟରର ବ୍ୟବହାରକୁ ବ୍ୟାପକ କରିବ । ଏହି ବିଭାଗ ଭାରତର ଭବିଷ୍ୟତ ପ୍ରସ୍ତୁତିକୁ ସୁନିଶ୍ଚିତ କରିବ । ବିଶେଷ ଭାବରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ଏବଂ ମେଡିକାଲ ଶିକ୍ଷା ପାଇଁ ସହାୟକ ହେବ ।
‘ନ୍ୟାସନାଲ ଫାସିଲିଟି ଫର୍ ଜିନ୍ ଫାଉଣ୍ଡେସନ ଇନ୍ ହେଲଥ୍ ଏଣ୍ଡ ଡିଜିଜ’ ରୋଗ ବିଷୟରେ ଗବେଷଣା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ସ୍ୱାସ୍ଥ୍ୟ ଏବଂ ଔଷଧ ପାଇଁ ନୂତନ ଜ୍ଞାନ ପ୍ରଦାନ କରିବ । ଏହି ନୂତନ ସୁବିଧା ଆଇଜରରେ ଥିବା ୧୦ଟି ଗବେଷଣା ଗ୍ରୁପ ଦ୍ୱାରା ବ୍ୟବହାର ହେବ । ଟିଆଇଏଫଆର, ଆୟୁଷ ମନ୍ତ୍ରଣାଳୟ, ସାବିତ୍ରୀ ବାଇ ଫୁଲେ ବିଶ୍ୱବିଦ୍ୟାଳୟ, ନ୍ୟାସନାଲ କେମିକାଲ ଲାବ୍ରୋଟୋରୀ ପୁଣେ ଭଳି ସରକାରୀ ସଂସ୍ଥାକୁ ସେବା ପ୍ରଦାନ କରିବେ । ଏ ସମସ୍ତ ନୂତନ ପଦକ୍ଷେପ ଦ୍ୱାରା କ୍ୟାମ୍ପସରେ ଗବେଷଣା ଏବଂ ନବସୃଜନର ବ୍ୟାପକତାରେ ବୃଦ୍ଧି ଘଟିବ ଏବଂ ଶିକ୍ଷାଦାନରେ ମଧ୍ୟ ଉନ୍ନତି ହେବ । ଏହାସହ ଜୈବ ବିଜ୍ଞାନ, ରସାୟନ ବିଜ୍ଞାନ, ମାନବ ବିଜ୍ଞାନ ଏବଂ ଜଳବାୟୁ ବିଜ୍ଞାନରେ ଶିକ୍ଷାଦାନକୁ ଉନ୍ନତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.