ସୋନପୁର (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ନାବାର୍ଡ଼ ଅନୁଦାନ ପ୍ରାପ୍ତ କୃଷକ ଉତ୍ପାଦକ ସଂଗଠନମାନଙ୍କର ତ୍ରୟମାସିକ ବୈଠକ ଆଜି ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନାବାର୍ଡ଼ର ଡି.ଡି.ଏମ୍. ଶଙ୍କର ରାଉତ ଅଧ୍ୟକ୍ଷତା କରିଥିବା ବେଳେ ସଦସ୍ୟ ହିସାବରେ ଯୋଗଦାନ କରିଥିଲେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସେନ ଏବଂ ସହକାରୀ ବୈଜ୍ଞାନିକା ସୁଶ୍ରୀ ସୁପ୍ରଭା ସେଠୀ l ନାବାର୍ଡ଼ଙ୍କ ସହାୟତା ପ୍ରାପ୍ତ ସାଧନ ସହାୟକ ସଂସ୍ଥା (ଆର୍.ଏସ୍.ଏ.) ସହଭାଗୀ ବିକାଶ ଅଭିଯାନଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ଉଭୟ ଜିଲ୍ଲାରୁ ୧୧ ଟି କୃଷକ ସଂଗଠନ ଏବଂ ଚାରୋଟି ପ୍ରୋତ୍ସାହନ ସଂଗଠନର ପ୍ରତିନିଧିଗଣ ଯୋଗ ଦେଇଥିଲେ । ବୈଠକରେ ନାବାର୍ଡ଼ଙ୍କ ଦ୍ୱାରା ସ୍ଥିରୀକୃତ ଲକ୍ଷ୍ୟ ହାସଲ ଦିଗରେ ସମସ୍ତ ସଂଗଠନ କେଉଁ କେଉଁ ପଦକ୍ଷେପ ନେବେ ତା ଉପରେ ଆଲୋଚନା କରାଯାଇ ଆଗାମୀ ଖରିଫ ଋତୁ ପାଇଁ ସମସ୍ତ ସଦସ୍ୟମାନଙ୍କୁ ବିହନ ଓ ସାର କିପରି ସୁରୁଖୁରୁରେ ଯୋଗାଇ ଦେଇ ହେବ ତାହା ଉପରେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଉଭୟ ଜିଲ୍ଲାରେ ଧାନ ଚାଷ ଅଞ୍ଚଳକୁ ହ୍ରାସ କରି କିପରି ମକା, ପନିପରିବା, କପା ଏବଂ କଦଳୀ ଭଳି ଲାଭଜନକ ଅଣ ଧାନ ଫସଲ ଚାଷକୁ ବୃଦ୍ଧି କରାଯାଇପାରିବ ସେ ଦିଗରେ ‘ବିହନ ଠାରୁ ବଜାର ପର୍ଯ୍ୟନ୍ତ’ ନୀତିରେ ସମସ୍ତ କୃଷକ ସଂଗଠନ ନିଜ ନିଜର ବ୍ୟବସାୟ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବାକୁ ଡି.ଡି.ଏମ୍. ଓ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏ ଦିଗରେ ଏସ୍.ଭି.ଏ. ସମେତ ସଂପୃକ୍ତ ଅନ୍ୟ ତିନୋଟି ପ୍ରୋତ୍ସାହନ ଅନୁଷ୍ଠାନ ଯଥା ମାସ୍ ପି, ପିସ୍ଫୁଲ ସୋସାଇଟି ଏବଂ ୱାଇ.ସି.ଭି.ଏ. ବିଶେଷ ଧ୍ୟାନ ଦେବେ ବୋଲି ନାବାର୍ଡ଼ ଡି.ଡି.ଏମ୍. ଆଶା ବ୍ୟକ୍ତ କରିଥିଲେ । ଆୟୋଜକ ଅନୁଷ୍ଠାନ ଏସ୍.ଭି.ଏ. ତରଫରୁ ସର୍ବଶ୍ରୀ ପବିତ୍ର କୁମାର ପଟ୍ଟନାୟକ ଏବଂ କଲ୍ୟାଣ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ବୈଠକର ସମାପନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.