ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି। ଗାଁ ଗହଳିରେ ପ୍ରଶାସନର ସଚେତନତା ଅଭାବରୁ ଅନେକ ପିଲା ଏବେ ପାଠ ପଢା ଛାଡ଼ି ବେସାହାରା ହୋଇ ଗାଁରେ ବୁଲୁଛନ୍ତି ତ ଆଉ କେତେ ଦାଦନ ଖଟିବାକୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି।
ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତ ଠାରୁ ମାତ୍ର ୨ କମି ଦୂର ପଦାସାହି ଗାଁ। ବାପା ମା ଚାଲିଯିବା ପରେ ତିନି ପ୍ରାଣୀ ଏବେ ଅନାଥ ହୋଇ ପାଠ ପଢା ଛାଡି ନିଜ ଜମିରେ ଚାଷବାସ କରି ଚଳୁଛନ୍ତି। ଯେଉଁ ବୟସରେ ବାପା ମା’ର ସ୍ନେହ ଦରକାର ସେହି ସମୟରେ ଭଗବାନ ଦୁଇ ଜଣଙ୍କୁ ଆରପାରିକୁ ନେଇ ଗଲେ। ଓଳିଏ ଖାଇଲେ ଆରଓଳି ଉପାସ। ତିନି ପ୍ରାଣୀ ଏବେ କରୁଛନ୍ତି ଜୀବନ ସହ ସଂଗ୍ରାମ। ଗ୍ରାମର ଦଣ୍ଡାସି ମଳିକ ଗତ ବର୍ଷ ଡିସେମ୍ବର ମାସ ୧୦ ତାରିଖରେ କୋୖଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ସ୍ଵାମୀକୁ ଝୁରି ଝୁରି ସ୍ତ୍ରୀ ମଧ୍ୟ ୨୪ ଏପ୍ରିଲ ୨୦୨୨ରେ ତିନି ପିଲାଙ୍କୁ ଛାଡି ସବୁଦିନ ପାଇଁ ଆଖି ବୁଜିଦେଲେ। ପରିବାରରେ କେହି ବୟସ୍କ ଓ ରୋଜଗାରିଆ ଲୋକ ନଥିବାରୁ ଶିକୁଳିପଦର ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ବଡ଼ ଝିଅ ଅନତି ମଳିକ(୧୭) ବାପା , ମା ଚାଲିଯିବା ପରେ ପାଠ ଛାଡି ଦୁଇ ଭାଇଙ୍କୁ ନେଇ ଏବେ ଚିନ୍ତାରେ। କେମିତି ଚଳିବ ଘର ସେହି ଚିନ୍ତାରେ ସେ ମର୍ମାହତ। କୌଣସି ସୂତ୍ରରୁ ଆର୍ଥିକ ସହାୟତା ନ ପାଇ ଦୁଇ ଭାଇ ବିଶ୍ରାମ ମଳିକ (୧୩ ) ଓ ସାନ ଭାଇ ଅନନ୍ତ ମଳିକ(୧୦) ଜଣେ ଅଷ୍ଟମ ଅନ୍ୟ ଜଣେ ପଞ୍ଚମ ଶ୍ରେଣୀରୁ ପାଠ ଛାଡି ନିଜ ଭଉଣୀଙ୍କ ସହ ନିଜର ସ୍ଵଳ୍ପ ଜମିରେ ଚାଷବାସ କରି ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି।
ସରକାରୀ ସହାୟତା କହିଲେ ମା’ଙ୍କ ନାମରେ ମିଳୁଥିବା ରାସନ କାର୍ଡରେ ୨୦ କିଲୋ ଚାଉଳ। ତାହା ମଧ୍ୟ ସମୁଦ୍ରକୁ ଶଙ୍ଖେ। ରହିବା ପାଇଁ ଟିଣଛପର ଘର। ଦିନେ ଚୁଲି ଜଳିଲେ ଦିନେ ଜଳୁନି। ଦୁଇ ଭାଇ ଓ ଭଉଣୀଙ୍କର ପାଠ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ରହିଛି ଆର୍ଥିକ ସମସ୍ୟା। ପାଠ ପଢି ଭଲ ମଣିଷ ହେବାର ସ୍ୱପ୍ନ ଦେଖିଥିଲେ ଅନତି। ଏବେ ସେ ଦୁଇ ଭାଇକୁ ନେଇ ବିଲ ଓ ବଗଡରେ କାମ କରୁଛନ୍ତି।
ଜିଲ୍ଲା ପ୍ରଶାସନ ଏହି ତିନି ପ୍ରାଣୀକୁ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରି ଶିକ୍ଷା ଓ ହଷ୍ଟେଲରେ ରହି ପାଠ ପଢ଼ିବାର ବ୍ୟବସ୍ଥା ଯୋଗାଇ ଦେଲେ ଏମାନଙ୍କର ଭବିଷ୍ୟତ ଉଜ୍ଜ୍ବଳ ହୋଇପାରନ୍ତା ବୋଲି ଗ୍ରାମବାସୀ ଓ ସରପଞ୍ଚ ସତ୍ୟନାରାୟଣ ଦଣ୍ଡସେନା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.