ବିଶୃଙ୍ଖଳିତ ସାମାଜିକ ଜୀବନଧାରାକୁ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର :ଦିଲୀପ ମଲ୍ଲିକ

0

ଭୁବନେଶ୍ୱର: ରାଜ୍ୟରେ ବର୍ଦ୍ଧିତ ନିଶା ବ୍ୟବହାର ଓ ବେପାର ଆଜି ଚିନ୍ତାର ମୁଖ୍ୟ କାରଣ ସାଜିଛି । ରାଜ୍ୟରେ ନିଶାଦ୍ରବ୍ୟ ବ୍ୟବହାରକୁ ନେଇ ସଦ୍ୟ ପ୍ରକାଶିତ ତଥ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିବାବେଳେ ଆଉ କିଛି ଅପ୍ରକାଶିତ ତଥ୍ୟ ମଧ୍ୟ ଆମ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅବକାରୀ ନୀତି ଏବଂ ଅତ୍ୟାଧିକ ରାଜସ୍ୱ ଆଦାୟ ମନୋଭାବ କାରଣରୁ ଛାତ୍ର, ଯୁବ, ମହିଳାମାନଙ୍କ ଉପରେ ସର୍ବାଧିକ କୁପ୍ରଭାବ ପଡିବା ସହିତ କ୍ଷତିଗ୍ରସ୍ତ ହେଉଛନ୍ତି । ଖୁଚୁରା ପାଇକାରୀ ଦୋକାନ ଭଳି ରାଜ୍ୟର ଗାଁ ଗାଁରେ ମଦ ଦୋକାନ ଖୋଲି ରାଜ୍ୟ ସରକାର କେବଳ ବ୍ୟାପକ ରାଜସ୍ୱ ସଂଗ୍ରହ କରୁନାହାନ୍ତି ବରଂ ବିଶୃଙ୍ଖଳିତ ସାମାଜିକ ଜୀବନଧାରାକୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି । ରାଜ୍ୟରେ ଚୋରି, ଦୁଷ୍କର୍ମ, ହତ୍ୟା ଭଳି ଅସାମାଜିକ ଘଟଣାମାନ କ୍ରମାଗତ ବୃଦ୍ଧି ପାଇଚାଲିଛି ଏବଂ ଏଥି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।
ସର୍ବଭାରତୀୟ ସ୍ତରରେ ଓଡ଼ିଶାରେ ପୁରୁଷ ଓ ମହିଳା ମଦପାନ କରିବାରେ ଆଗରେ ଅଛନ୍ତି । ସର୍ବଭାରତୀୟ ସ୍ତରରେ ପୁରୁଷମାନେ ୧୮.୮% ମଦ୍ୟପାନ କରୁଥିବାବେଳେ ଓଡ଼ିଶାରେ ୨୮.୮% ଲୋକେ ମଦ୍ୟପାନ କରୁଛନ୍ତି । ସର୍ବଭାରତୀୟ ସ୍ତରରେ ୧୫ବର୍ଷରୁ ଅଧିକ ବୟସର ୧.୩% ମହିଳା ମଦ ପିଉଥିବା ବେଳେ ଓଡ଼ିଶାରେ ୪.୩% ପିଉଛନ୍ତି । ସେହିପରି ଭାରତରେ ୩୮% ପୁରୁଷ ତମାଖୁ ସେବନ କରୁଥିବାବେଳେ ଓଡିଶାରେ ୫୧.୬% ଓ ଭାରତରେ ୮.୯ମହିଳା ତମାଖୁ ସେବନ କରୁଥିବାବେଳେ ଓଡ଼ିଶାରେ ୨୬% ମହିଳା ତମାଖୁ ସେବନ କରୁଛନ୍ତି । ସେହିପରି ସହରାଂଚଳରେ ୨୨.୭% ଲୋକ ମଦପାନ କରୁଥିବାବେଳେ ଗ୍ରାମାଚଂଳରେ ୩୦.୨% ପିଉଛନ୍ତି । ଗଂଜେଇ, ବ୍ରାଉନସୁଗାର, ଚରସ ଭଳି ନିଶାଦ୍ରବ୍ୟ ଆଜି ଗ୍ରାମାଂଚଳକୁ ବ୍ୟାପିଲାଣି ଏବଂ ଯୁବସମାଜ ପଥଭ୍ରଷ୍ଟ ହୋଇ ଏହି ନିଶା କବଳରେ ନିଜେ ତଥା ସମାଜକୁ କୁପଥକୁ ନେଉଛନ୍ତି ।ରାଜ୍ୟରେ ଏବେ ମଦୁଆଙ୍କର ଅଭାବ ନାହିଁ ।ମହିଳାମାନେ ରାସ୍ତାରେ ଚାଲିବାକୁ ମଧ୍ୟ ସୁରକ୍ଷିତ ମନେ କରୁ ନାହାନ୍ତି । ଶାସକ ବିଜେଡି ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ହୀନ ରାଜନୀତି କରି ପ୍ରଚୁର ମାତ୍ରାରେ ବଂଟନ କରି ମଦ ନିଶାକୁ ପ୍ରୋତ୍ସାହିତ କରାଯାଉଛି । ଏହି କାରଣରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ରାଜ୍ୟ ସରକାର ମା’ ସମ୍ମାନ ଦେଉଥିବା କଥା କହୁଛନ୍ତି କିନ୍ତୁ ସ୍ୱାଧୀନତାକୁ ୭୫ବର୍ଷ ବିତିଯାଇଥିଲେ ମଧ୍ୟ ନାରୀମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ।ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ଏବଂ ନିଜକୁ ସ୍ୱଚ୍ଛ ବୋଲାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୩ ମସିହାରେ ଯୁବ ନୀତି ତିଆରି କରିବା ସହ ନିଶାମୁକ୍ତ ରାଜ୍ୟ ଗଢି ତୋଳିବାର ନାରା ଦେଇଥିଲେ ସତ, କିନ୍ତୁ ଏହି ନାରା କେବଳ ସ୍ୱପ୍ନରେ ରହିଗଲା ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.