“ଅଙ୍ଗଦାନ ପାଇଁ ଜନସାଧାରଣ ଆଗେଇ ଆସିବା ଉଚିତ”

0

ଲାୟନ୍ସ କ୍ଲବ ଉମଙ୍ଗ ପକ୍ଷରୁ ଅଙ୍ଗଦାନ ସଚେତନତା

ବାଲେଶ୍ୱର,(ଉଜ୍ଜ୍ୱଳ କର ) : ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ବାଲେଶ୍ୱର ଲାୟନ୍ସ କ୍ଲବ ଉମଙ୍ଗ ପକ୍ଷରୁ ଅଙ୍ଗଦାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅନୁଷ୍ଠିତ  ହୋଇଯାଇଛି । ଲାୟନ୍ସ କ୍ଲବ ଉମଙ୍ଗର ସଭାପତି କ୍ରୀଷ୍ଣା ଦାସ ଏଥିରେ ଅଧ୍ୟକ୍ଷତା କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ଅଙ୍ଗଦାନର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଆମ ରାଜ୍ୟରେ ବାର୍ଷିକ ଦୁର୍ଘଟଣାଜନିତ ମୃତ୍ୟୁ  ସଂଖ୍ୟା ୫ ହଜାରରୁ ୭ହଜାର ଥିବା ବେଳେ ସତ୍ୟପାଠ ଅଭାବରୁ ମୃତକଙ୍କ ଅଙ୍ଗପ୍ରତ୍ୟଙ୍ଗ କୌଣସି କାର୍ଯ୍ୟରେ ନ ଲାଗି ଅଗ୍ନି ଦଗ୍ଧ ହେଉଛି । ଏଥିପାଇଁ ଅଙ୍ଗଦାନ ସମ୍ପର୍କରେ ବ୍ୟାପକ ସଚେତନତା ହେଲେ ରୋଗୀମାନେ ଅଙ୍ଗଟିଏ ପାଇ ସ୍ୱାଭାବିକ ଜୀବନଯାପନ କରି ପାରନ୍ତେ ବୋଲି ଶ୍ରୀମତୀ ଦାସ ପ୍ରକାଶ କରିଥିଲେ । କ୍ଲବର ସମ୍ପାଦିକା ବନ୍ଦିତା ମହାନ୍ତି ଏଥିରେ ଯୋଗଦେଇ ଅଙ୍ଗଦାନ ସତ୍ୟପାଠ ସ୍ୱାକ୍ଷରକାରୀଙ୍କୁ ଉତ୍ସାହିତ କରିବା ସହିତ ଏହାଦ୍ୱାରା ଆଗାମୀ ଦିନରେ ଅଙ୍ଗଦାନ ପାଇଁ ଜନସାଧାରଣ ଆଗେଇ ଆସିବେ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ଅଙ୍ଗଦାନ ସପକ୍ଷରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଉତ୍ସାହୀ ଯୁବକ ଏବଂ ଯୁବତୀ ତଥା ଲାୟନ୍ସ କ୍ଲବ ଉମଙ୍ଗର ସଦସ୍ୟାମାନେ ସ୍ୱେଚ୍ଛାକୃତ ଭାବେ ଅଙ୍ଗଦାନ ଅଭିଯାନରେ ସାମିଲ ହୋଇ ସତ୍ୟପାଠ ଦାଖଲ କରିଥିଲେ । ଅଂଗଦାନ ସମ୍ପର୍କରେ କାର୍ଯ୍ୟ କରୁଥିବା ଭାରତୀୟ ଶିଳ୍ପ ମହାସଂଘର ୟଙ୍ଗ ଇଣ୍ଡିଆନ ସଂଗଠନର ସଦସ୍ୟା ସୁପ୍ରୀତି ମିଶ୍ର ଏଥିରେ ଯୋଗଦେଇ ଅଙ୍ଗଦାନ ସତ୍ୟପାଠ କ୍ଷେତ୍ରରେ ଭାରତ ଅନ୍ୟାନ୍ୟ ଦେଶ ତୁଳନାରେ ବହୁ ପଛରେ ଥିବା ବେଳେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଦୟନୀୟ ବୋଲି ପ୍ରକାଶ କରିଥିଲେ ।ଏଥିପାଇଁ ବ୍ୟାପକ ସଚେତନତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅଙ୍ଗ ନପାଇ ଅକର୍ମଣ୍ୟ ହୋଇଥିବା କିମ୍ବା ମୃତୁ ମୁଖକୁ ଚାଲିଯାଉଥିବା ବ୍ୟକ୍ତିଙ୍କୁ ବଂଚାଇବାକୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ  ଆଗେଇ ଆସିବା ନିମନ୍ତେ ଶ୍ରୀମତୀ ମିଶ୍ର ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୀନା ପାଣିଗ୍ରାହୀ, ମୀନତି ବଳିୟାରସିଂ, ସୁମିତା ଦତ୍ତ, ବନ୍ଦନା ମହାପାତ୍ର, ଭରସା କର, ବିଦ୍ୟୁତ ପ୍ରଭା ପଣ୍ଡା, ଗିରିଜା ମିଶ୍ର, ଲିପିକା ଦାସ, ସରୋଜିନୀ ଦାସ, ବବିତା ମୋର ପ୍ରମୁଖ ଏଥିରେ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । 

 

Leave A Reply

Your email address will not be published.