ଅଜଣା ରୋଗରେ ଏକାଧିକ ଯୁବକଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କଲେ ବାଲେଶ୍ୱର ସାଂସଦ ରବୀନ୍ଦ୍ର 

0

ସଦର ବିଧାୟକଙ୍କୁ ସାଙ୍ଗରେ ନେଇ ମେଡିକାଲ ଟିମ୍ ସହ ବଇଞ୍ଚାରେ ପହଞ୍ଚିଲେ

ବାଲେଶ୍ୱର(ଉଜ୍ଜ୍ୱଳ କର ): ଚାକିରୀ ଆଶାରେ ବେଙ୍ଗ|ଲୁର ଯାଇ ଅଜଣା ରୋଗରେ ସଦର ବ୍ଲକ ଅନ୍ତର୍ଗତ ବଇଂଚା ପଂଚାୟତର ଏକାଧିକ ଯୁବକଙ୍କ ମୃତ୍ୟୁ ମୁଖରେ ପଡ଼ିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା | ଏହି  ରୋଗର କାରଣ ବିଷୟରେ ଜାଣିବା ପାଇଁ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ପ୍ରତିନିଧି ଦଳ ସହ ସଦର ବ୍ଲକର ରଘୁନାଥପୁର ଅଂଚଳ ପରିଦର୍ଶନରେ ଯାଇ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ଯୁବକମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସାଂସଦ ଶ୍ରୀ ଜେନାଙ୍କ ନିଦେ୍ର୍ଧଶ କ୍ରମେ ଜିଲ୍ଲା ଗୋରୀ କଲ୍ୟାଣ ସମିତି ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କୁ ଆମ୍ବଲାନ୍ସ ଯୋଗେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରତ୍ୟେକ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ରୋଗୀ କଲ୍ୟାଣ ସମିତି ପକ୍ଷରୁ କରାଯିବ ବୋଲି ସାଂସଦ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଛନ୍ତି । ରଘୁନାଥପୁରର ପାଖରାବାଡ଼ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ଯୁବକ ଦଲାଲ ମାଧ୍ୟମରେ କାର୍ଯ୍ୟ କରିବାକୁ ବେଙ୍ଗାଲୁରୁ ଯାଇଥିଲେ । ପଥର ଭାଙ୍ଗି ଗୁଣ୍ଡ ପ୍ରସ୍ତୁତ କରୁଥିବା ମିନାର୍ଜ ଇଣ୍ଡଷ୍ଟ୍ରିଜ୍ ନାମକ ଏକ କାରଖାନାରେ ଯୁବକମାନେ ମାସିକ ଆଠରୁ ଦଶ ହଜାର ଟଙ୍କା ଦରମାରେ କାମ କରୁଥିଲେ । କିଛି ମାସ କାମ କରିବା ପରେ ଅଧିକାଂଶ ଯୁବକଙ୍କ ଦେହ ଖରାପ ହେଲା । କମ୍ପାନୀ କତ୍ତୃପକ୍ଷ ଦାଦନ ଶ୍ରମିକ ଭାବେ ସେମାନଙ୍କୁ ଖଟାଉଥିବା ବେଳେ ସେମାନଙ୍କ ଦେହ ଖରାପ ହେଲେ ମଧ୍ୟ ଛାଡୁ ନଥିଲା । ଏମିତିକି ସେମାନଙ୍କ ଦରମା ମଧ୍ୟ କମ୍ପାନୀ ଦେଉନଥିଲା । କାମ କରୁଥିବା ଅବସ୍ଥାରେ ଯୁବକମାନେ ଜ୍ୱର ଏବଂ କାଶରେ ଆକ୍ରାନ୍ତ ହୋଇଥିଲେ । ସେଠାରେ ଚିକିତ୍ସା ହେଉଥିଲେ ବି କୌଣିସ ପ୍ରକାର ସୁଧାର ନ ଆସିବାରୁ ଅନ୍ୟ ଉପାୟ ନପାଇ କିଛି ଯୁବକ ସେଠାରୁ ଲୁଚି ପଳାଇ ଆସି ରଘୁନାଥପୁର ଘରେ ପହଂଚିଥିଲେ । ଘରେ ରହି ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କୁ ଜ୍ୱର ସାଙ୍ଗକୁ କାଶରେ ରକ୍ତ ପଡିବା ଆରମ୍ଭ ହୋଇଥିଲା । ଏମିତିକି ସେମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କଲେ । ପରିସ୍ଥିତି ଅଣାୟତ ହେବାରୁ ସେମାନେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ଓ ପରେ କଟକ ବଡ଼ ଡାକ୍ତରଖାନା ଏବଂ ଭୁବନେଶ୍ୱର ଏମ୍ସ ହସପିଟାଲ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ସେଠାରେ ମଧ୍ୟ ଡାକ୍ତରମାନେ ଏହି ଅଜଣା ରୋଗ ଚିହ୍ନଟ କରିପାରି ନଥିଲେ । ଗୋଟିଏ ବର୍ଷ ମଧ୍ୟରେ ଗ୍ରାମର ମିଥୁନ ବେହେରା, ଶିବ ବେହେରା, ଦୀପକ ବେହେରାଙ୍କ ମୃତ୍ୟୁ  ହୋଇଥିବା ବେଳେ ଦୁଇଦିନ ତଳେ କଟକରେ ଧନଞ୍ଜନ ତରାଇଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ସେହିପରି ଗ୍ରାମର ରମେଶ ଭୋଇ, ପ୍ରଦୀପ ମାଝୀ, ମଣ୍ଡିରାମ ଖଟୁଆ, ପୂର୍ଣ୍ଣଚନ୍ଦ୍ର ମାଝୀ, ବାପୁ ମାଝୀ ପ୍ରମୁଖ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି । 

 

Leave A Reply

Your email address will not be published.