ଭୁବନେଶ୍ୱର: ଜଟିଳ ବ୍ୟାଧି ଲୁପସ୍କୁ ଚିହ୍ନଟ କରିବା ସହ ଏହାକୁ ନେଇ ଭୟଭୀତ ନହେବା ବିଷୟରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ଲୁପସ୍ ଦିବସ ଅବସରରେ ଏଠାରେ ମଙ୍ଗଳବାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ସମ୍ ହସ୍ପିଟାଲର କ୍ଲିନିକାଲ ଇମୁନୋଲୋଜି ଆଣ୍ଡ ରୁମାଟୋଲୋଜି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସକାଳୁ ମାଷ୍ଟରକ୍ୟାଂଟିନ୍ ଛକଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା । ଏଥିରେ ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଏବଂ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହି ସଚେତନତା ରାଲିର ଶୁଭାରମ୍ଭ କରିଥିଲେ । ସମ୍ ହସ୍ପିଟାଲର ଏଭଳି ସଚେତନତା ପଦକ୍ଷେପକୁ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ପ୍ରଶଂସା କରିଥିଲେ । ଏହି ର୍ୟାଲିରେ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, କ୍ଲିନିକାଲ ଇମୁନୋଲୋଜି ଆଣ୍ଡ ର୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ, ସୋଆ ଛାତ୍ରମଙ୍ଗଳ ଡ଼ିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସମ୍ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତୀ ମିନତୀ ମିଶ୍ର ଓ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଏହି ମାରାତ୍ମକ ରୋଗ ବିଷୟରେ ସଚେତନତାର ବାର୍ତା ପ୍ରଦାନ କରିଥିଲେ ।
ରୋଗ ପ୍ରତିରୋଧକ ଶକ୍ତିରେ ସମସ୍ୟା ସୃଷ୍ଟି ହେଲେ ଲୁପସ୍ ଭଳି ମାରାତ୍ମକ ବ୍ୟାଧି ଶରୀରରେ ଦେଖା ଦେଇଥାଏ । ବିଶେଷକରି ମହିଳା ମାନଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ଦେଖାଦେଇଥିବା ବେଳେ ଶରୀରରେ ବିଭିନ୍ନ ପ୍ରକାର ଦାଗ, ଜ୍ୱର, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ହୃଦ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଏଥି ନିମନ୍ତେ ଠିକ୍ ସମୟରେ ରୋଗର ଚିହ୍ନଟ, ଉପଯୁକ୍ତ ପରୀକ୍ଷା ଓ ଚିକିତ୍ସାର ଆବଶ୍ୟକତା ରହିଛି । ଏହି ଦିଗରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଶ୍ୱ ଲୁପସ୍ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ପ୍ରଫେସର ପାତ୍ରୋ କହିଛନ୍ତି ।
ଏହା ଏକ ଜଟିଳ ସମସ୍ୟା, ଦଶଟି ରୋଗ ମିଶି ଯେତିକି ସମସ୍ୟା ସୃଷ୍ଟି କରିନଥାଏ, ଏହି ଗୋଟିଏ ରୋଗ ତା ଠାରୁ ଅଧିକ ସମସ୍ୟା ସୃଷ୍ଟି କରେ ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ । ତେଣୁ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗରୁ ମୁକ୍ତ ହୋଇ ସୁସ୍ଥ ଜୀବନ ଶୈଳୀ ଆପଣେଇ ହେବ ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ ।
ସେହିପରି ସମ୍ ହସ୍ପିଟାଲରେ ଏହି ଅବସରରେ ଏକ ସିଏମଇର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫେସର ସାମନ୍ତସିଂହାର ଓ ପ୍ରଫେସର ପାତ୍ରୋଙ୍କ ସମେତ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଲୁପସ ରୋଗ ଓ ଏ ବିଷୟରେ ସଚେତନତା ନେଇ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ଓ ଛାତ୍ରଛାତ୍ରୀମାନେ ସାମିଲ୍ ହୋଇଥିଲେ । ଲୁପସ୍ ଦିବସ ଅବସରରେ ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳା ମଧ୍ୟ ପ୍ରସ୍ତୁତ
କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post