ଦେବଗଡ଼ ଜିଲ୍ଲାର ଲୋକ ମହୋତ୍ସବ ଉତ୍ସବ ପ୍ରଧାନପାଟ ୨୦୨୨ ଏପ୍ରିଲ ୨୭ରୁ

0

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଏପ୍ରିଲ ୨୭ ତାରିଖରୁ ମଇ ୧ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ପ୍ରଧାନପାଟ ଜଳ ପ୍ରପାତ ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚ ରେ ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଜିଲ୍ଲାବାସୀଙ୍କ ଉତ୍ସବ “ଉତ୍ସବ ପ୍ରଧାନପାଟ ୨୦୨୨”।
ଏଇଥିପାଇଁ ସ୍ଥାନୀୟ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ର ଅଧକ୍ଷ ସୁଧାଂଶୁ ମୋହନ ସାମଲ ଙ୍କ ଅଧକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆକର୍ଷଣୀୟ ପଲ୍ଲୀଶ୍ରୀ ମେଳା, ପୁସ୍ତକ ମେଳା ଓ ଖାଦ୍ୟ ମେଳା ଅନୁଷ୍ଠିତ କରିବା ପାଇଁ ପ୍ରସ୍ତାବ ରହିଛି। ପ୍ରତ୍ୟେକ ସନ୍ଧ୍ୟାରେ ଜିଲ୍ଲା ତଥା ଜିଲ୍ଲା ବାହାରର ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।
ପ୍ରସ୍ତୁତି ବୈଠକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ଏସପି ରାଜକିଶୋର ପାଇକରାୟ, ଅତିରିକ୍ତ ଜିଲ୍ଲାପାଳ ରେବିକା ବିଲୁଙ୍ଗ, ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଲୁକାସ ପ୍ରଧାନ, ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ପ୍ରମୁଖ ମଞ୍ଚାସିନ ଥିଲେ। ବୈଠକରେ ଜିଲ୍ଲା ସଂସ୍କୃତି ପରିଷଦ ର ସମସ୍ତ କର୍ମକର୍ତ୍ତା, ଗଣମାଧ୍ୟମ ର ସମସ୍ତ ପ୍ରତିନିଧି ଓ ଜିଲ୍ଲା ସ୍ତରର ସମସ୍ତ ଅଧିକାରୀ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ। ଉତ୍ସବ କେମିତି ଭଲ ଭାବରେ ଓ ଜାକଜମକରେ ହେଇ ପାରିବ ସେଇଥି ପାଇଁ ଜିଲ୍ଲାପାଳ ମହୋଦୟ ସମସ୍ତ ଙ୍କ ସାହାଯ୍ୟ ଲୋଡିଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.