ନିର୍ଦୋଷରେ ଖଲାସ ହେଲେ ରାଇରଙ୍ଗପୁର ଥାନା ଏଏସଆଇ

0

 ୨୧ ବର୍ଷ ପରେ ରାୟ :  

 

ବାରିପଦା : ଦୀର୍ଘ ୨୧ ବର୍ଷ ପୂର୍ବେ ଏକ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଚୁଡ଼ାନ୍ତ ରାୟ ଶୁଣାଇ ଅଭିଯୁକ୍ତ ତତ୍କାଳୀନ  ବଡ଼ସାହି ଥାନା ଏଏସଆଇ ତଥା ବର୍ତ୍ତମାନ ରାଇରଙ୍ଗପୁର ଟାଉନ ଥାନାରେ କାର୍ଯ୍ୟରତ ଏଏସଆଇ ଶୁକଦେବ ମହାକୁଡ଼ଙ୍କୁ ନିର୍ଦୋଷରେ  ଖଲାସ କରାଇଛନ୍ତି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ।  ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବଡ଼ାସାହି ଥାନା ଅଞ୍ଚଳରେ ୧୨ ବର୍ଷିୟ ଜନୈକନାବାଳକ ଉକ୍ତ ଅଞ୍ଚଳର ଏକ ନାବାଳିକାକୁ ପ୍ରେମ ପତ୍ର ଦେଇଥିବା ବିଷୟକୁ ନେଇ ଥାନାରେ ନାବାଳିକାର ପିତା ଅଭିଯୋଗ ଆଣିଥିଲେ । ଏହି ଘଟଣାକୁ ନେଇ ପୁଲିସ ନାବାଳକକୁ ୨୦୦୬ ଅକ୍ଟୋବର ୩୦ରେ ଥାନାକୁ ଆଣି ଅଟକ ରଖିଥିଲେ । ଭାଣିଜୀଙ୍କ ନିକଟରୁ ଏହି ଖବର ପାଇବା ପରେ ବୈଶିଙ୍ଗା ଅଞ୍ଚ ଳର ନାବାଳକର ଅଜା(ମା’ଙ୍କ ମାମୁଁ) ବଡ଼ସାହି ଥାନାରେ ପହଁଞ୍ଚି ଥାନା ଅଧିକାରୀଙ୍କୁ ୩୧ ଅପରାହ୍ନ ୪ଟାରେ ସାକ୍ଷାତ କରି ଘଟଣା ବିଷୟରେ ଅବଗତ ହୋଇ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ କରାଇ ଦେବାକୁ ଅନୁରୋଧ କରିଥିଲେ । ଏହି ସମୟରେ ନାବାଳିକା ପକ୍ଷ ଥାନାରେ ଉପସ୍ଥିତ ନ ହେବାରୁ ମାମଲା ସମାଧାନ ହୋଇ ପାରି ନଥିଲା । ଫଳରେ ପୁଣି ଥରେ ନଭେମ୍ବର ୧ରେ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ସାକ୍ଷାତ କରିବାରୁ ଉକ୍ତ ମାମଲା ଦାୟିତ୍ୱରେ ସେକେଣ୍ଡ ଅଫିସର ଶୁକଦେବ ମହାନ୍ତ ରହିଛନ୍ତି ତାଙ୍କୁ ଭେଟିବାକୁ କହିଥିଲେ ଏବଂ ଏଏସଆଇ ଶୁକଦେବ ମହାନ୍ତଙ୍କୁ ସାକ୍ଷାତ କରିବାପରେ ଯାଇଥିବା ବ୍ୟକ୍ତି ନାବାଳକର ଅଜା ପରିଚୟ ପାଇ ପ୍ରଥମେ ଗାଳି ମନ୍ଦ କରିବା ଆରମ୍ଭ କରିଦେଇଥିଲେ । ଏହାପରେ ନାବାଳକର ଜଳଖିଆ ବାବଦକୁ ୩୦ ଟଙ୍କା ନେଇ ୦୨/୧୧/୨୦୦୬ ସୁଦ୍ଧା ଏକ ହଜାର ଟଙ୍କା ଲାଞ୍ଚ ନ ଦେଲେ ତାକୁ କୋର୍ଟ ଚାଲାଣ କରିଦେବେ ବୋଲି କହିଥିଲେ । ନାବାଳକର ଅଜା ମନ ଦୁଃଖରେ ଘରକୁ ଫେରି ନିଜର ଭାଣିଜୀ ଓ ଭାଣିଜୀ ଜ୍ୱାଇଁଙ୍କ ସହିତ ବିଚାର ବିମର୍ଶ ହେବା ପରେ ଜ୍ୱାଇଁ ଘରେ ଥିବା ଏକ ଗାଈକୁ ବିକ୍ରି କରି ଲାଞ୍ଚ ଟଙ୍କା ସଂଗ୍ରହ କରିଥିଲେ । ମାତ୍ର ଏହି ଲାଞ୍ଚୁଆ ଥାନା ଅଧିକାରୀଙ୍କୁ ଉଚିତ ଶିକ୍ଷା ଦେବା ନିମନ୍ତେ ବାଲେଶ୍ୱର ଭିଜିଲାନ୍ସ ସହିତ ଯୋଗାଯୋଗ କରି ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ପୂର୍ବ ପ୍ରସ୍ତୁତ ଯୋଜନା ଅନୁସାରେ ୨ ତାରିଖରେ ଭିଜିଲାନ୍ସରୁ ନେଇଥିବା ରଙ୍ଗ ବୋଳା ଏକ ହଜାର ଟଙ୍କାକୁ ବଡ଼ସାହି ଥାନା ଏଏସଆଇ ତଥା କରଞ୍ଜିଆ ଥାନା ଅନ୍ତର୍ଗତ ରସମତଳାର ଶୁକଦେବ ମହାନ୍ତକୁ ଦେଇଥିଲେ । ଏହା ପରେ ନାବାଳକର ଅଜାଙ୍କ ନିକଟରୁ କାର୍ଯ୍ୟରେ ସଫଳ ହୋଇଥିବା ସଙ୍କେତ ପାଇ ପୂର୍ବରୁ ପ୍ରସ୍ତୁତ ହୋଇ ପୋଜିସନରେ ରହିଥିବା ଭିଜିଲାନ୍ସ ଟିମ ଅଚାନକ ଭାବେ ଏଏସଆଇ ଶୁକଦେବ ମହାନ୍ତଙ୍କୁ ଧରି ତାଙ୍କୁ ତଲାସୀ ନେଇ ରଙ୍ଗ ବୋଳା ଟଙ୍କାକୁ ଜବତ କରିଥିଲେ । ଏହି ଘଟଣାକୁ ନେଇ ଭିଜିଲାନ୍ସରେ ୩୦/୨୦୦୬ରେ ଏକ ମାମଲା ରୁଜୁ ହୋଇଥିଲା । ଦୀର୍ଘ ୨୧ ବର୍ଷ ପରେ ସୋମବାର ମାମଲାରେ ରହିଥିବା ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତିକରି ଏଏସଆଇ ଶୁକଦେବ ମହାନ୍ତଙ୍କୁ କୋର୍ଟ ସସମ୍ମାନେ ଦୋଷମୁକ୍ତ କରାଇ ଦେଇଥିଲେ । ମାମଲାକୁ ଏଏସଆଇ ଶୁକଦେବ ମହାନ୍ତଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଟ୍ଟନାୟକ ଓ ସୁନୀଲ ଅଗ୍ରୱାଲା ପରିଚାଳନା କରିଥିଲେ । 

Leave A Reply

Your email address will not be published.