ତିନିଦିନିଆ ଆସାମ ଗସ୍ତରେ ଯିବେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର

0

ଭୁବନେଶ୍ୱର: ଆସନ୍ତା ୧୧ ରୁ ୧୩ ତାରିଖ ମଧ୍ୟରେ ଆସାମର ରାଜଧାନୀ ଗୌହାଟୀରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଯୋଗଦେବାପାଇଁ ଓଡିଶା ବିଧାନସଭାର ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥି, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ଉପନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପୂର୍ଣଚନ୍ଦ୍ର ଦଳେଇ ପ୍ରମୁଖ ଆସାମ ଗସ୍ତ କରିବେ I ଏହି ସମ୍ମିଳନୀରେ ଭାରତର ସମସ୍ତ ରାଜ୍ୟର ବାଚସ୍ପତି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ସଂସଦୀୟ କାର୍ଯ୍ୟବିଧି, ସଂସଦୀୟ କାର୍ଯ୍ୟପ୍ରଣାଳୀର ଉନ୍ନତିକରଣ ଏବଂ ବିଭାଗୀୟ ମୁଖ୍ୟଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ଆଦି ବିଷୟରେ ସମ୍ମିଳନୀରେ ଆଲୋଚନା କରାଯିବ ବୋଲି ବାଚସ୍ପତି ଡ଼ଃ ପାତ୍ର ପ୍ରକାଶ କରିଛନ୍ତି I ଚଳିତ ମାସ ୧୩ ତାରିଖରେ ଓଡିଶାର ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଥିବାରୁ ସେ ୧୨ ତାରିଖରେ ଓଡିଶା ଫେରିଆସିବେ ବୋଲି ପ୍ରକାଶ କରିଛନ୍ତି I ଲୋକସଭାର ବାଚସ୍ପତି ଶ୍ରୀ ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ I “ଜାତୀୟ ବିକାଶ ଏବଂ ସାଧାରଣ ମଙ୍ଗଳ ପାଇଁ ଯୁବ ଶକ୍ତିର ବ୍ୟବହାର” ବିଷୟବସ୍ତୁ ଉପରେ ବାଚସ୍ପତି ଡ଼ଃ ପାତ୍ର ତାଙ୍କର ବକ୍ତବ୍ୟ ରଖିବେ ବୋଲି ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି I ଏହି ସମ୍ମିଳନୀର ସଫଳତାପାଇଁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି

Leave A Reply

Your email address will not be published.