ଭୁବନେଶ୍ୱର: ଜଏ ଇ-ବାଇକ୍ ନାମରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାଣ କରୁଥିବା ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ସମସ୍ତ ଆହ୍ୱାନ ସତ୍ୱେ ୭୦୨ ପ୍ରତିଶତ ଅଭିବୃଦ୍ଧି ସହ ୩୦,୭୬୧ଟି ଗାଡ଼ି ବିକ୍ରି କରାଯାଇଛି ଯାହା କଂପାନିର ସର୍ବକାଳୀନ ସର୍ବାଧିକ ବିକ୍ରି । ୨୦୨୦-୨୧ ଆର୍ଥିକ ବର୍ଷରେ କଂପାନି ୩,୮୩୪ଟି ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି କରିଥିଲା ।
ନିଜ ଲୋକପ୍ରିୟ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ମଡେଲ୍ ଜରିଆରେ କଂପାନି ଦୃଢ଼ ବିକ୍ରି ଅଭିବୃଦ୍ଧି ଜାରି ରଖିଛି । କଂପାନି ୨୦୨୨ ମାର୍ଚରେ ୫,୦୨୦ ଗାଡ଼ି ବିକ୍ରି କରି ୩୨୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । କଂପାନି ୨୦୨୧ ମାର୍ଚରେ ୧,୧୭୪ଟି ଗାଡ଼ି ବିକ୍ରି କରିଥିଲା ।
ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ୨୦୨୧-୨୨ ଆର୍ଥିକ ବର୍ଷ ଶେଷ କରିବା ସମ୍ପର୍କର ଶ୍ରୀମତୀ ଶିତଲ ଭାଲେରାଓ, ଚିଫ ଅପରେସନ୍ସ ଅଫିସର, ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ କହିଛନ୍ତି ଯେ, “ଦ୍ରୁତ ଅଭିବୃଦ୍ଧିଶୀଳ ଇଭି ବ୍ରାଣ୍ଡ୍ ଭାବେ ଆମର ଗ୍ରାହକମାନଙ୍କ ଅଭିଳାଷକୁ ପୂରଣ କରିବା ଲାଗି ଗୁଣାତ୍ମକ ଓ ଉନ୍ନତ ପ୍ରଯୁକ୍ତିର ଉତ୍ପାଦ ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ । ଆମ ଉପରେ ଗ୍ରାହକମାନଙ୍କ ବିଶ୍ୱାସର ମାନ୍ୟତା ହେଉଛି ଆମ ବିକ୍ରିରେ ହେଉଥିବା ନିରବଚ୍ଛିନ୍ନ ଅଭିବୃଦ୍ଧି । ୨୦୨୨-୨୩ରେ କଂପାନି ଆରଆଣ୍ଡ୍ଡିରେ ନିବେଶ କରିବା, ଉତ୍ପାଦ ପୋର୍ଟଫୋଲିଓର ବିବିଧକରଣ କରିବା ଏବଂ ବଜାର ଉପସ୍ଥିତିକୁ ଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିବ । ଇନ୍ଧନ ଦାମ୍ ଆକାଶଛୁଆଁ ସ୍ତରରେ ପହଂଚିଥିବାରୁ ଆମେ ଦେଖିପାରୁଛୁ ଯେ ଦ୍ରୁତ ଗତିରେ ଇଲେକ୍ଟ୍ରିକ ଯାନ ଆଡ଼କୁ ରୂପାନ୍ତରଣ ହେଉଛି ଏବଂ ଆମର ବିଶ୍ୱାସ ରହିଛି ଯେ ଆମେ ଆଉ ଏକ ବିକ୍ରି ମାଇଲଖୁଂଟ ସୃୃଷ୍ଟି କରିପାରିବୁ ।’’
୨୦୨୧-୨୨ ଆର୍ଥିକ ବର୍ଷରେ କଂପାନି ବଜାରରେ ଏହାର ଉପସ୍ଥିତିକୁ ସୁଦୃଢ଼ କରି ଉଲ୍ଲେଖନୀୟ ମାଇଲଖୁଂଟ ହାସଲ କରିଛି । ଏହା ଭାରତର ପ୍ରଥମ ଇଲେକ୍ଟ୍ରିକ୍ ଯାନ ଆନୁଷଂଗିକ କ୍ଲଷ୍ଟରକୁ ଭଦୋଦରାରେ ବିକଶିତ କରି ଦରକାର ହେଉଥିବା ଉପକରଣଗୁଡ଼ିକୁ ସ୍ଥାନୀୟ ଭାବେ ଉତ୍ପାଦନ କରିବା ଲାଗି ୪ ନିୟୁତ ବର୍ଗଫୁଟ ଜମି ଅଧିଗ୍ରହଣ କରିଛି । ନୂଆ ଆସେମ୍ବଲି ଲାଇନ୍ ଜରିଆରେ ଗୋଟିଏ ସିଫ୍ଟରେ ବାର୍ଷିକ ଉତ୍ପାଦନ କ୍ଷମତାକୁ ଏକ ଲକ୍ଷ ୟୁନିଟ୍ରୁ ବଢ଼ାଇ ୨ ଲକ୍ଷ ୟୁନିଟ୍ କରିଛି । କଂପାନି ତିନି ନୂଆ ହାଇସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟର ଉନ୍ମୋଚନ କରିବା ସହ ପ୍ରଥମ ଫ୍ଲିଟ୍ ମ୍ୟାନେଜମେଂଟ୍ ମଡେଲ୍କୁ ମଧ୍ୟ ବଜାର ପ୍ରବେଶ କରିଛି । ଏହା ସହିତ ୨୦୨୨ ମାର୍ଚରେ ପ୍ରଥମ ଥର ଲାଗି ୫୦୦୦ର ବିକ୍ରି ସ୍ତର ହାସଲ କରିଛି ।