ଜିଲ୍ଲାସ୍ତରୀୟ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ-୨୦୨୨

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ଜିଲ୍ଲା ସଂରକ୍ଷିତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଥିବା ପଡିଆ ଠାରେ ଜିଲ୍ଲାସ୍ତରୀୟ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ-୨୦୨୨ ପାଳିତ ହୋଇଯାଇଛି।
ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମିଳିତ ପରେଡ ଦଳକୁ ପରିଦର୍ଶନ କରିବା ସହ ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ।
ଉଦବୋଧନ ଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀ କହିଥିଲେ ଯେ , ଓଡିଶା ପୋଲିସ ଦୀର୍ଘ ୮୭ ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କୁ ନିରବଛିନ୍ନ ସେବା ଯୋଗାଈ ଆସୁଛି। ଆଜି ଅନେକ ସମସ୍ୟା ମୁଣ୍ଡ ଟେକି ଉଠିଥିବା ବେଳେ ସେ ସବୁର ସମାଧାନ ଦିଗରେ ପୋଲିସ ପ୍ରଶାସନ ଓ ପୋଲିସ ବାହିନୀ ସଦା ସର୍ବଦା ଜାଗ୍ରତ ପ୍ରହରି ଭଳି କାର୍ଯ୍ୟ କରି ଚାଲିଛି। ପ୍ରଶାସନ, ଆଇନ ଶୃଙ୍ଖଳା , ନକ୍ସଲ ଦମନ , ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା ଭଳି ମହାମାରୀ ସମୟରେ ପୋଲିସ ବାହିନୀର କର୍ତ୍ତବ୍ୟ ଓ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ତେଣୁ ଆଜିର ଭଳି ଏହି ପବିତ୍ର ଦିନରେ ଆମେ ସମସ୍ତେ ସଂକଳ୍ପ ନେବା ଯେ , କୌଣସି ପରିସ୍ଥିତିରେ ହେଲେ ମଧ୍ୟ ଓଡିଶା ପୋଲିସର ଆଞ୍ଚ ନ ଆସିଦେବା ପାଇଁ।
ପରେ ଆରାକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀ ମହାମହିମ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ।
ଏହି ଅବସରରେ ଜିଲ୍ଲାରେ ନିଜର ଉତ୍ତମ କାର୍ଯ୍ୟ ସମ୍ପାଦନା କ୍ଷେତ୍ରରେ ଶ୍ରେଷ୍ଠ କୃତିତ୍ୱ ପୋଲିସ ଅଧିକାରୀ ଓ ସିପାହୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ।
ପରେଡ ପରିଚାଳନା କରିଥିଲେ ପୋଲିସ ଆରଆଇ ଶ୍ରୀ ଡମ୍ବରୁ ଧର ହୋନାଗା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସମେତ କମାଣ୍ଡେଣ୍ଟ ଶ୍ରୀ ଜୁରିଆ ବେହେରା , ଏଏସପି ଶ୍ରୀ ବାମଦେବ ସିଂ , ଏସଡିପିଓ ଶ୍ରୀ ରାମକୃଷ୍ଣ ପତି, ବହୁ ପୋଲିସ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.