ଦୁଇ ଅନାଥ ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କଲା ଜିଲ୍ଲା ପ୍ରଶାସନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଣ ମାଧ୍ୟମର ପ୍ରତିନିଧିଙ୍କଠୁ ଖବର ପାଇଲା ପରେ ଜିଲ୍ଲା ପ୍ରଶାସନ ଦୁଇଟି ଅନାଥ ଶିଶୁଙ୍କୁ ଥଇଥାନ କରିଛି । ଶିଶୁ ଦୁଇଜଣ ମୋହନା ପଞ୍ଚାୟତ ସମିତିର ଅଡ଼ବା ନିକଟସ୍ଥ ତଳ ବାଡ଼େଗୁଡ଼ା ଗ୍ରାମର। ଶିଶୁ ମାନଙ୍କର ପିତା ସ୍ବର୍ଗତ ପ୍ରେମଲାଲ ମଲ୍ଲିକ ଗତ ୫ ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ବେଳେ ମା ରୁତୁଙ୍ଗା ମଲ୍ଲିକ କିଛି ମାସ ତଳେ ଶିଶୁପୁତ୍ର ଦୁଇଟି ଯଥା ମାନସ ମଲ୍ଲିକ, ବୟସ ୮ ବର୍ଷ ଓ ପାତ୍ରିକା ମଲ୍ଲିକ, ବୟସ ୬ ବର୍ଷ ଙ୍କୁ ତାଙ୍କର ଦୁର ସମ୍ପର୍କ ମାମୁଙ୍କ ପାଖରେ ଛାଡି ଭଲପାଉଥିବା ବ୍ୟକ୍ତିଙ୍କ ସହ କୁଆଡେ ପଳେଇଗଲେ । ଶିଶୁ ଦୁଇଟି କିଛିଦିନ ଦୂର ସମ୍ପର୍କ ମାମୁଙ୍କର ଦୟାର ପାତ୍ର ହେଲାପରେ ପରବର୍ତ୍ତୀ ସମୟରେ ମୁଠାଏ ଖାଇବା ପାଇଁ ଗାଁ ଲୋକଙ୍କର ଦ୍ବାରସ୍ଥ ହେଉଥିଲେ । ପାଠ ପଢ଼ିବା ଏବଂ ଶିଶୁମାନଙ୍କ ଅଧିକାର ତ ଦୁରର କଥା ଅତ୍ୟାବଶ୍ୟକ ଯଥା ଖାଦ୍ୟ , ବସ୍ତ୍ର , ବାସଗୃହ ପାଇଁ ଶିଶୁମାନେ ପ୍ରତ୍ୟେକ ସମୟରେ ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଶିଶୁ ଦୁଇଟିଙ୍କୁ ମୋହନା ଚାଇଲ୍ଡ ଲାଇନ ଦ୍ଵାରା ତଳବାଡେଗୁଡା ଗ୍ରାମରୁ ତା ପରଦିନ ଉଦ୍ଧାର କରି ଶିଶୁ ଦୁଇଟିଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତିଙ୍କ ନିକଟରେ ଉପସ୍ଥାପିତ କରିବା ପରେ ସେମାନଙ୍କ ନିର୍ଦ୍ଦେଶରେ ଶିଶୁ ମାନଙ୍କୁ ମୋହନା ବ୍ଲକର ଏକ ଶିଶୁ ଯତ୍ନ ଓ ସୁରକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ ଯଥା ଡେଷ୍ଟାର ହୋମ, ଜରଉରେ ଥଇଥାନ କରାଯାଇଛି ।
ଏହି ପିଲାମାନଙ୍କର ଖାଦ୍ୟ , ବସ୍ତ୍ର , ରହିବା , ପାଠ ପଢ଼ିବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ବହନ କରିବେ। ଭବିଷ୍ୟତରେ ଶିଶୁ ଦୁଇଟି କିପରି ପୋଷ୍ୟସନ୍ତାନ ଭାବେ ପରିବାର ପାଇବେ ସେଥିପ୍ରତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଯଥେଷ୍ଟ ଧ୍ୟାନ ଦେବେ। ଏହି ପିଲାମାନଙ୍କୁ ଜରଉ ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଏବଂ ତୃତୀୟ ଶ୍ରେଣୀରେ ନାମ ଲେଖାଇଥିବା ଜଣାପଡୁଛି ।
ବାପା ମଲା ପରେ ମାଁ ସିନା ନିଜ ସ୍ବାର୍ଥ ପାଇଁ ପିଲାମାନଙ୍କୁ ଦୁରେଇଦେଲା କିନ୍ତୁ ଜିଲ୍ଲାପାଳଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ ପିଲାମାନଙ୍କୁ କୋଳେଇ ନେବା ସହ ଭବିଷ୍ୟତରେ ପିଲାମାନଙ୍କର ଯତ୍ନ ଓ ସୁରକ୍ଷା ସହ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଅହରହ ଉଦ୍ୟମ ଜାରି ରଖିବ।

Leave A Reply

Your email address will not be published.