ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳରେ “ରଙ୍ଗର ପର୍ବ ହୋଲି” ଚଳିତ ଥର ଧୁମଧାମରେ ପାଳିତ ହୋଇଯାଇଛି।
ଏହି ରଙ୍ଗର ପର୍ବ ହୋଲି ଖେଳ ପାଳନ ବେଳେ ପାଣି-ରଙ୍ଗ ଓ ରାସାୟନିକ ରଙ୍ଗକୁ ସମ୍ପୂର୍ଣ୍ଣ ଭାବେ ଦୁରେଇ ଦେଇ ସମସ୍ତେ ପରସ୍ପର ମଧ୍ୟରେ ଫଗୁ ଧରି ମୁହଁରେ ବୋଳା-ବୋଳି ହୋଇ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।
ଏହି ଅବସରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦିନିକିଆ ଗସ୍ତରେ ପାରଳାଖେମୁଣ୍ଡିରେ ପହଞ୍ଚି ଦଳୀୟ କର୍ମକର୍ତ୍ତାଙ୍କ ସମେତ ଲୋକଙ୍କ ସହ ହୋଲି ଖେଳି ଥିଲେ।
ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି , ସ୍ଥାନୀୟ ହାଇସ୍କୁଲ ଛକଠାରୁ ଦଳୀୟ କର୍ମକର୍ତ୍ତାଙ୍କ ଗହଣରେ ଏକ ବିରାଟ ବାଇକ୍ ରାଲିରେ ବାହାରି ସହର ପରିକ୍ରମା କରିଥିଲେ । ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଳିଥିଲେ । ଏହି ବାଇକ ରାଲିର ସହର ପରିକ୍ରମା ବେଳେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ପାରାଳାଖେମୁଣ୍ଡି ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀ କେ: ନାରାୟଣ ରାଓ , ଜିଲ୍ଲା ପ୍ରଭାରି ଶ୍ରୀ ସରୋଜ ସାବତ , ତ୍ରିପତି ନାୟକ , ସିଦ୍ଧେଶ୍ଵର ମିଶ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ନେତାଙ୍କ ଓ କର୍ମୀ ଶତାଧିକ ସଂଖ୍ୟାରେ ସାମିଲ ଥିଲେ ।
ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଥିଲେ ଯେ , ପାରାଳାଖେମୁଣ୍ଡି ସହର ଓଡ଼ିଆ ଅସ୍ମିତାର ମାଟି । ଓଡିଶାର ସଂସ୍କୃତି ସମ୍ପନ୍ନ ସହର ପାରାଳାଖେମୁଣ୍ଡକୁ ଆସି ଆଜି ଆମ ଦଳୀୟ ବିଜେପି କର୍ମକର୍ତ୍ତାଙ୍କ ସହ ହୋଲି ଉତ୍ସବ ପାଳନ କରୁଛି । ସହର ବୁଲିବା ବେଳେ ଲୋକଙ୍କ ସହ ଭେଟିବା ପରେ ଅତ୍ୟନ୍ତ ଭାବ ବିହ୍ଵଳ ଲାଗିଲା । ଏହି ମାଟିର ଏକ ସ୍ୱତନ୍ତ୍ର ମହକ ରହିଛି , ଯାହାକି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଉଦ୍ୟମ ଫଳରେ ଓଡିଶା ତାର ସ୍ୱତନ୍ତ୍ର୍ୟତା ବଜାୟ ରଖିପାରିଛି।
ଏହି ଐତିହ୍ୟ ସମ୍ପନ୍ନ ପାରଳାଖେମୁଣ୍ଡି ସହରରେ ଆଜି ଲୋକଙ୍କ ସହ ହୋଲି ଖେଳିବାର ସୁଯୋଗ ପାଇବା ସହ ମୋ ଭାବାବେଗକୁ ଆଦାନ ପ୍ରଦାନ କରିପାରିଲି , ଏହା ମୋ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି କହିଥିଲେ ।
Sign in
Sign in
Recover your password.
A password will be e-mailed to you.