ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌରପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟବେକ୍ଷକ ଓ ରାଜନୈତିକ ଦଳର ବ୍ୟକ୍ତି ମାନଙ୍କୁ ନେଇ ନିର୍ବାଚନ ଆଦର୍ଶ ଆଚରଣ ବିଧି ଏବଂ ଖର୍ଚ୍ଚ ସମ୍ପର୍କିତ ଏକ ସର୍ବଦଳୀୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଚଳିତ ମାସର ୨୪ ତାରିଖରେ ଜିଲ୍ଲାର ଦୁଇ ଗୋଟି ସହର ଯଥା :- ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ଏନ୍ଏସିରେ ସହରାଞ୍ଚଳ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ମାର୍ଚ୍ଚ ୨୬ ତାରିଖରେ ମତଗଣନା ତାରିଖ ଧାର୍ଯ୍ୟ ହୋଇଛି ।
ଇତି ମଧ୍ୟରେ ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଦାଖଲ , ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରତ୍ୟାହାର ସମେତ ପ୍ରତିଦ୍ବନ୍ଦିତା ମୈଦାନରେ ରହିଥିବା ପ୍ରାର୍ଥୀ ମାନଙ୍କ ସବିଶେଷ ନାମ , ତାଲିକା ସେମାନଙ୍କ ଚିହ୍ନ ସହ ପ୍ରକାଶିତ ହୋଇ ସାରିଛି । ଏସବୁ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଗଜପତିର ଉଲ୍ଲେଖିତ ସହରାଞ୍ଚଳ ନିର୍ବାଚନ ଅନୁଷ୍ଠିତ ହେଉଥିବା ଅବସରରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି ।
ନିର୍ବାଚନ ତାରିଖ ସମୟ ଦିନକୁ ଦିନ ପାଖେଇ ଆସୁଥିବା ବେଳେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ପ୍ରଚାର କାର୍ଯ୍ୟକ୍ରମ ମଧ୍ୟ ଜୋର ସୋରରେ ଚାଲିଛି । ଏହି ଦୃଷ୍ଟିରୁ ପ୍ରଶାସନିକ ସ୍ତରରେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କିଭଳି ଅଧିକ କଡାକଡି କରାଯାଇ ନିର୍ବାଚନକୁ ଅବାଧ , ନିରପେକ୍ଷ ଓ ଶାନ୍ତିଶୃଙ୍ଖଳା ଭାବେ ସମସ୍ତଙ୍କ ସହଯୋଗରେ ସମ୍ପନ୍ନ କରାହେବ, ସେଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜନୈତିକ ବ୍ୟକ୍ତି ମାନଙ୍କ ଏକ ସର୍ବଦଳୀୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌର ନିର୍ବାଚନ ଅଧିକାରୀ ତଥା ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଶ୍ରୀ ଦଲ୍ଲିପ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକ(ଖର୍ଚ୍ଚ) ଶ୍ରୀ ମଦନ ସିଂହ ଯୋଗ ଦେଇ ନିର୍ବାଚନ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ସରକାରଙ୍କ ରହିଥିବା ନିର୍ଦ୍ଧିଷ୍ଟ ଗାଇଡ଼ ଲାଇନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସମେତ ସରକାରୀ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ।
ଏସବୁ ଗୁଡିକ ମଧ୍ୟରେ ମୁଖ୍ୟତଃ ନିର୍ବାଚନୀ ପ୍ରଚାର ଠାରୁ ଆରମ୍ଭ କରି ବିଭିନ୍ନ ମାଧ୍ୟମରେ ପ୍ରଚାର କାର୍ଯ୍ୟକ୍ରମ , ସରକାରଙ୍କ ନିର୍ଦ୍ଧିଷ୍ଟ ସୂଚନା ପ୍ରକାରେ ପ୍ରାର୍ଥୀ ସେମାନଙ୍କ ନିର୍ବାଚନୀ ଖର୍ଚ୍ଚ ସୀମିତ ରଖିବା , ନିର୍ବାଚନୀ ସଂକ୍ରାନ୍ତୀୟ ଖର୍ଚ୍ଚ ତାଲିକା ଧାରଣ ଖାତା ପରିଚାଳନା ସହ ମତଦାନ ଓ କାଉଣ୍ଟିଙ୍ଗ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ଗାଇଡ଼-ଲାଇନକୁ ମାନି କୋଭିଡ୍ ନୀତି ନିୟମ ପାଳନ କରିବା, ସବୁ ସ୍ତରରେ ପ୍ରାର୍ଥୀମାନେ ଯତ୍ନବାନ ହେବାପାଇଁ ବୈଠକରେ ଉଚିତ ପରାମର୍ଶ ଦିଆ ଯାଇଥିଲା । ଅନ୍ୟପକ୍ଷରେ ନିର୍ବାଚନ ସଂକ୍ରାନ୍ତୀୟ ଗାଇଡ଼ ଲାଇନକୁ କୌଣସି ପ୍ରକାର ଉଲଂଘନ କରିବା କି ଅଭିଯୋଗ ଆସିବା ହେଲେ ସେଥିପ୍ରତି ପ୍ରଶାସନିକ ସ୍ତରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସୂଚନା ଦିଆ ଯାଇଥିବା ଜଣାପଡିଛି ।
ଏହି ବୈଠକ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖଙ୍କ ସମେତ ବହୁ ଅଧିକାରୀ ଏବଂ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.