ଖୋର୍ଦ୍ଧା-ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ଜଟଣୀ ମ୍ୟୁନିସିପାଲିଟି, ବାଲୁଗାଁ ଓ ବାଣପୁର ଏନ୍.ଏ.ସି ର ଅଧ୍ୟକ୍ଷ ଏବଂ କାଉନସିଲର ନିର୍ବାଚନ ନିମନ୍ତେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଏକ ବୈଠକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଉପରୋକ୍ତ ପୌରାଂଚଳ ଓ ବିଜ୍ଞପିତ ଅଂଚଳ ପରିଷଦ ପାଇଁ ନିଯୁକ୍ତ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀ ଏବଂ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଆଗାମୀ ପୌର ନିର୍ବାଚନକୁ ଅବାଧ ଓ ମୁକ୍ତ ଭାବରେ ପରିଚାଳନା କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ବୈଠକରେ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ମହାନ୍ତି ଯୋଗଦେଇ ନିର୍ବାଚନ ନିମନ୍ତେ ଷ୍ଟ୍ରଙ୍ଗରୁମ୍ ର ସୁରକ୍ଷା ସହ ସମସ୍ତ ପୌରପାଳିକା ଓ ବିଜ୍ଞପିତ ଅଂଚଳ ପରିଷଦରେ ବ୍ୟବହାର ହେବାକୁ ଥିବା ଇଲେକ୍ଟ୍ରୋନିକଭୋଟିଙ୍ଗ ମେସିନ୍ ଷ୍ଟଙ୍ଗ ରୁମ୍ କୁ ସିସିଟିଭି ନଜରରେ ରଖିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳ ଶ୍ରୀ ମହାପାତ୍ର ଇଭିଏମ୍ କମିଶନିଂ ସମୟରେ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିପାରିବା ଓ ପୋଲିଂ ପୂର୍ବରୁ ମକ୍ ପୋଲିଂ ସମୟରେ ପୋଲିଂ ଏଜେଣ୍ଟ ଉପସ୍ଥିତ ରହିବା ସଂପର୍କରେ ଅବଗତ କରାଇଥିଲେ ।
ବୈଠକରୁ ପ୍ରାପ୍ତ ସୂଚନା ଅନୁସାରେ ପ୍ରତି ପୌରପାଳିକା ଓ ବିଜ୍ଞପିତ ଅଂଚଳ ପରିଷଦ ପାଇଁ ପୌରାଧ୍ୟକ୍ଷ ଓ କାଉନସିଲର ମତଦାନ ପାଇଁ 2 ଟି ଲେଖାଏଁ ଅଲଗା ଅଲଗା ଇଭିଏମ୍ ବ୍ୟବହାର ହେବ । ଖୋର୍ଦ୍ଧା ପୌରପାଳିକା ପାଇଁ 22ଟି ଓ୍ୱାର୍ଡର 44ଟି ମତଦାନ କେନ୍ଦ୍ରରେ 110ଟି ଇଭିଏମ୍ ବ୍ୟବହାର ହେବ । ପ୍ରତିପୌରପାଳିକା ଓ ବିଜ୍ଞପିତ ଅଂଚଳ ପରିଷଦ ପାଇଁ ଅରିରିକ୍ତ 25 ପ୍ରତିଶତ ଲେଖାଏଁ ଇଭିଏମ୍ ଜରୁରୀ ସେବା ପାଇଁ ସଂରକ୍ଷିତ ରଖାଯାଇଛି । ସେହିପରି ଜଟଣୀ ମ୍ୟୁନିସିପାଲିଟି ନିମନ୍ତେ 23ଟି ଓ୍ୱାର୍ଡରେ 54ଟି ବୁଥ ନିମନ୍ତେ 135 ଟି ଇଭିଏମ୍, ବାଲୁଗାଁ ଏନ୍.ଏ.ସିର 11ଟି ଓ୍ୱାର୍ଡର 16ଟି ବୁଥ ପାଇଁ 40ଟି ଇଭିଏମ୍ ଓ ବାଣପୁର ଏନ୍.ଏ.ସିର 15ଟି ଓ୍ୱାର୍ଡର 17ଟି ବୁଥ ପାଇଁ 43ଟି ଇଭିଏମ୍ ବ୍ୟବହାର କରାଯିବ । ପ୍ରତ୍ୟକ ରାଜନୈତିକ ଦଳର ପ୍ରତିନିଧି ଓ ପ୍ରାର୍ଥୀମାନେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଅନୁପାଳନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଆସନ୍ତା କାଲି 15 ଓ 16 ତାରିଖରେ ବିଭିନ୍ନ ଦିବସରେ ଉପରୋକ୍ତ ପୌରପାଳିକା ଓ ବିଜ୍ଞପିତ ଅଂଚଳ ପରିଷଦରେ ନିର୍ବାଚନ ପାଇଁ ନିଯୁକ୍ତ ପ୍ରିଜାଇଡିଂ ଓ ପୋଲି ଅଧିକାରୀମାନଙ୍କର ପ୍ରଶିକ୍ଷଣ ଅନୁଷ୍ଠିତହେବ । ଉପରୋକ୍ତ 4 ଟି ପୌରାଂଚଳରେ ନିର୍ବାଚନ ପାଇଁ 165ଟି ଯାନ ବ୍ୟବହାର କରାଯିବାକୁ ଥିବା ବେଳେ 155 ଜଣ ପ୍ରିଜାଇଡିଂ ଅଫିସର ନିୟୋଜିତ ହେବେ । ପ୍ରକାଶ ଥାଉକି ଆସନ୍ତା 16 ତାରିଖରେ ଭୁବନେଶ୍ୱର ମହାନଗର ନିଗମ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ସହିତ ଅନ୍ୟ ଏକ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଭୁବନେଶ୍ୱର ମହାନଗର ନିଗମର 705ଟି ବୁଥ ନିମନ୍ତେ 1763 ଟି ଇଭିଏମ୍, 306ଟି ଯାନ ଏବଂ 774 ଜଣ ପ୍ରିଜାଇଡିଂ ଅଫିସର ନିୟୋଜିତ ହେବେ । ଏଥି ସହିତ ନିର୍ବାଚନକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ବିଭିନ୍ନ ବିଷୟରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା ।
ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢୀ, ଖୋର୍ଦ୍ଧା ଉପ ଜିଲ୍ଲାପାଳ ଶ୍ରୀ ଗୌରବ ଇଶଲଓ୍ୱାର ଶିବାଜୀ, ଭୁବନେଶ୍ୱର ଉପ ଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ଦାସ,ନିର୍ବାଚନ ପରିଚାଳନାରେ ନିୟୋଜିତ ଅନ୍ୟ ପ୍ରଶାସନିକ ଓ ପୁଲିସ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post