ଭୁବନେଶ୍ୱର: ନେତୃତ୍ୱ ନିମନ୍ତେ ଜ୍ଞାନ ଓ କୌଶଳ ପ୍ରମୁଖ ଅସ୍ତ୍ର ଏବଂ ସଫଳ ନେତୃତ୍ୱ ନିମନ୍ତେ ଜ୍ଞାନର ପରିସୀମା ବଢ଼ାଇବା ମଧ୍ୟ ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି । ଜ୍ଞାନର କୌଣସି ପରିସୀମା ନାହିଁ ଏବଂ କେହି ଜଣେ ସବୁ ଜ୍ଞାନ ଆହରଣ କରିଛି ବୋଲି କହିପାରିବ ନାହିଁ । ସମୟ ଅତିକ୍ରାନ୍ତ ହେଲେ ଜ୍ଞାନ ମଧ୍ୟ ପୁରୁଣା ହୋଇଯାଏ ବୋଲି ଦେଶର ଅନ୍ୟତମ ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର ମହାପାତ୍ର କହିଛନ୍ତି ।
ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ଏକ ସପ୍ତାହ ବ୍ୟାପୀ ଆୟୋଜିତ ହେଉଥିବା “କନ୍ଟେମ୍ପରାରୀ ଇସ୍ୟୁସ୍ ଅନ୍ ଲିଡରସିପ୍” ଶୀର୍ଷକ ଫ୍ୟାକଲ୍ଟି ଡେଭ୍ଲପ୍ମେଂଟ ପ୍ରୋଗ୍ରାମ୍ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ମହାପାତ୍ର ଏହା କହିଛନ୍ତି ।
ନିଜ ଅନୁଭୂତିକୁ ବଖାଣି ପ୍ରଫେସର ମହାପାତ୍ର କହିଥିଲେ ଯେ, ପ୍ରାୟ ୫୦ ବର୍ଷ ତଳେ ସେ ଯେତେବେଳେ ମେଡିକାଲ୍ କଲେଜରେ ପାଠ ପଢ଼ୁଥିଲେ ସେ ସମୟରେ ମେଡିସିନ୍ ଏବଂ ସର୍ଜରୀ ପାଠ୍ୟକ୍ରମକୁ ନେଇ ସେ ଯେଉଁ ପୁସ୍ତକ ପଢ଼ିଥିଲେ ତାହା ବର୍ତମାନ ଆଉ ବ୍ୟବହାର ହେଉ ନାହିଁ । ବର୍ତମାନ କେହି ସେହି ବହିକୁ ଦେଖିବାକୁ ମଧ୍ୟ ଚହିଁବେ ନାହିଁ ଓ ତାହା କେବଳ ପୋଥି ହୋଇଗଲାଣି । ଏପରିକି ୧୯୭୮ ମସିହା ପର୍ଯ୍ୟନ୍ତ ବିଶ୍ୱରେ ନ୍ୟୁରୋସର୍ଜରୀ ସମ୍ପର୍କିତ ଗୋଟିଏ ବି ପାଠ୍ୟ ପୁସ୍ତକ ପ୍ରକାଶିତ ହୋଇନଥିଲା । ମାତ୍ର ବର୍ତମାନ ଏହି ବିଷୟକୁ ନେଇ ଶହ ଶହ ପୁସ୍ତକ ଉପଲବ୍ଧ ଅଟେ ବୋଲି ସେ କହିଛନ୍ତି ।
ତେବେ କୌଣସି ଉଦ୍ଦେଶ୍ୟହୀନ ଭାବେ ଜ୍ଞାନ ଆହରଣ କରିବା ମୂଲ୍ୟହୀନ ହୋଇଯାଏ । ଯଦି ଆମର ଉଦ୍ଦେଶ୍ୟ ଏବଂ ମନୋଭାବ ଠିକ୍ ଅଛି ତେବେ ଲକ୍ଷ୍ୟ ଠାରୁ ଆମେ ବେଶି ଦୂରରେ ନାହଁ ବୋଲି କୁଳପତି କହିଥିଲେ । ପ୍ରଫେସର ମହାପାତ୍ର କହିଥିଲେ ଯେ ମଣିଷ ମସ୍ତିଷ୍କର କ୍ଷମତା କଳନା କରିବା ସମ୍ଭବ ନୁହେଁ । ଯେତେବେଳେ ବିଶିଷ୍ଟ ବୈଜ୍ଞାନିକ ଆଲବର୍ଟ ଆଇନ୍ଷ୍ଟାଇନ୍ ନୋବେଲ ପୁରସ୍କାର ଗ୍ରହଣ କରିଥିଲେ ସେତେବେଳେ ତାଙ୍କ ଭାଷଣରେ ସେ ତାଙ୍କ ମସ୍ତିଷ୍କର ମାତ୍ର ୧୦ ପ୍ରତିଶତ ବ୍ୟବହାର କରି ଏହି ପୁରସ୍କାର ଲାଭ କରିଛନ୍ତି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ ନିଜ ବକ୍ତବ୍ୟରେ ନେତୃତ୍ୱର ବିଭିନ୍ନ ପରିଭାଷା ସମ୍ପର୍କରେ ଆଲୋକପାତ କରିଥିଲେ ।
ଏଫ୍ଡିପିର ସଂଯୋଜକ ଡକ୍ଟର ବନ୍ଦନା ନାୟକ ବର୍ତମାନ ପରିସ୍ଥିତିରେ ନେତୃତ୍ୱ ସଂକଟ ସମ୍ପର୍କରେ ଆଲୋକପାତ କରିବା ସହ ରଷିଆ ଓ ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଏହା ବିଶ୍ୱ ଅର୍ଥନୀତି ଉପରେ କିଭଳି ପ୍ରଭାବ ପକାଉଛି ଏବଂ ଏହି ସମସ୍ୟାର ସମାଧାନ ପାଇଁ କିପରି ଉପଯୁକ୍ତ ନେତୃତ୍ୱର ଆବଶ୍ୟକତା ରହିଛି ସେ ବିଷୟରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଗଣେଶ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡକ୍ଟର ଧୃତିସୁନ୍ଦର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post