୩୭ ଖଣ୍ଡ ଭୋଟ ପାଇଁ ରୋଜି ସେଠୀ ହେଲେ ବିଜୟୀ
ନିଶ୍ଚିନ୍ତକୋଇଲି( ଦେବେନ୍ଦ୍ର ଷଡ଼ଙ୍ଗୀ): ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ବିଜେଡି ହାତେଇଲା ପରେ ବିଜୁ ଜନତା ଦଳ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଆନନ୍ଦର ଲହରୀ । ଆଜି ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଅଧକ୍ଷ ଆସନ ପାଇଁ ଭୋଟ ଗଣତି ସରିଯାଇଛି । ବିଜେଡି ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ ଓରତି ଗ୍ରାମ ପଞ୍ଚାୟତର ସମିତିସଭ୍ୟ ରୋଜି ସେଠି ଏବଂ ବିଜେପି ପକ୍ଷରୁ କୋଲଣପୁର ଗ୍ରାମ ପଂଚାୟତର ସମିତିସଭ୍ୟା ସବିତା ସାମଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅଧକ୍ଷ ପଦବୀରେ ପ୍ରାର୍ଥୀପତ୍ର ଦାଖଲ ପରେ ୪୧ ଗୋଟି ଗ୍ରାମ ପଂଚାୟତର ସମିତିସଭ୍ୟ ପ୍ରାର୍ଥୀ ମାନେ ଯୋଗଦାନ କରି ଶ୍ରୀମତୀ ସେଠୀ ଙ୍କୁ ୩୭ ଖଣ୍ଡ ଭୋଟ ଏବଂ ଶ୍ରୀମତୀ ସାମଲ ଙ୍କୁ ୪ ଖଣ୍ଡ ଭୋଟ ପ୍ରଦାନ କରିଥିଲେ । ଫଳରେ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ସେଠି ୩୭ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲା ବେଳେ ଶ୍ରୀମତୀ ସାମଲ ପରାଜୟ ବରଣ କରିଥିଲେ । ଏହି ନିର୍ବାଚନରେ ପ୍ରଶାସନିକ ଅଧିକାରୀ ଭାବେ କିଶୋରନଗର ତହସିଲଦାର ଇନ୍ଦିରା ସାହୁ, ନିଶ୍ଚିନ୍ତକୋଇଲି ଅତିରକ୍ତ ତହସିଲଦାର କ୍ରିଷ୍ଣା ପାଢ଼ୀ, ଏସଡିପିଓ ବିମଳ ବାରିକ ଉପସ୍ଥିତ ରହିଥିଲେ । ତେବେ ଶ୍ରୀମତୀ ସେଠୀ ବିଜୟ ଲାଭ କଲାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ, ବିକାସମୁଖୀ ଶାସନ ରେ ଅନୁପ୍ରାଣିତ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ହାତରେ ହାତ ମିଶାଇ କାର୍ଯ୍ୟ କରି ସମସ୍ତ ପଂଚାୟତ ବାସୀଙ୍କ ପାଇଁ ବିକାଶମୂଳକ କାର୍ଯ୍ୟ କରି ନିଶ୍ଚିନ୍ତକୋଇଲି ବ୍ଲକ ସମଗ୍ର ବ୍ଳକରେ ୧ନଂ ବ୍ଲକ ଭାବେ ଗଢି ତୋଳିବେ ବୋଲି ଶପଥ ଗ୍ରହଣ କରିଥିଲେ । ଶ୍ରୀମତୀ ସେଠି ବିଜୟ ଲାଭ ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ପୂର୍ବତନ ବ୍ଲକ ଅଧକ୍ଷା ସବିତା ଓଝା, ପ୍ରାକ୍ତନ ଅଧକ୍ଷ ଗିରିସରଞ୍ଜନ ମହାପାତ୍ର,ବିଜେଡି ସଭାପତି ରମାକାନ୍ତ ମହାନ୍ତି,ଯୁବନେତା ଅଶୋକ କୁମାର ଓଝା ଙ୍କ ସମସ୍ତ ପ୍ରାର୍ଥୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।