ବାଣପୁର ଏନଏସି ନିର୍ବାଚନ: ଆଚରଣ ବିଧି ଉଲଂଘନ, ମନ୍ଦିରରେ ଲାଗିଲା ଦଳୀୟ ପତାକା

0

ବାଣପୁର(ସେକ କୌଶର )ରାଜ୍ୟରେ ପୌର ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ବର୍ତ୍ତମାନ ରାଜ୍ୟର ସମଗ୍ର ପୌରାଞ୍ଚଳରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି। ତେବେ ପଞ୍ଚାୟତ ନିର୍ବାଚନରେ ଯେପରି ଆଚରଣ ବିଧିକୁ କଡ଼ାକଡି କରାଯାଇଥିଲା ପୌର ନିର୍ବାଚନରେ ତାହା ପରିଲକ୍ଷିତ ହେଉନାହିଁ। ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସେମିତି କିଛି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଥିବାର ଦେଖିବାକୁ ମିଳୁନି। ଏପରି ଏକ ନଜିର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ର 9 ନମ୍ବର ୱାର୍ଡ ଅଞ୍ଚଳରେ।

ସହରର ପ୍ରମୁଖ ଶୈବ ପିଠ ଶ୍ରୀ ଦକ୍ଷେଶ୍ୱର ଦେବଙ୍କ ବେଢାରେ ଏକ ନିର୍ଦ୍ଦିଷ୍ଟ ଦଳର ପତାକା ଛାଇ ଯାଇଥିବାର ଦେଖିବାକୁ ମିଳିଛି। ଯାହାକୁ ଭକ୍ତମାନେ ଘୋର ବିରୋଧ କରିଛନ୍ତି। ଦକ୍ଷେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଦାଇତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ଥିବା ବେଳେ ପରିଚାଳନା ଦାଇତ୍ୱ ଅଛି ଭଗବତୀ-ଦକ୍ଷେଶ୍ୱର ଏଣ୍ଡାଉମେଣ୍ଟ ହାତରେ। ତେବେ ଉକ୍ତ ଦୁଇ ବିଭାଗର ନିଷ୍କ୍ରିୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶେଷକରି ମନ୍ଦିରକୁ ଦଳୀୟ ଛାପରୁ ଦୁରେଇ ରଖାଯାଉ ବୋଲି ଭକ୍ତମାନେ ଦାବି କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା ଦକ୍ଷେଶ୍ୱର ମନ୍ଦିର ପରିଧି ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ କିପରି ମନ୍ଦିର ବେଢାରେ ଦଳୀୟ ପତାକା ଲଗାଗଲା ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ନିର୍ବାଚନ ଅଧିକାରୀ ତଥା ବାଣପୁର ତହସିଲଦାର ଏ ଦିଗରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ସହ ତୁରନ୍ତ ସମସ୍ତ ପ୍ରାର୍ଥୀଙ୍କୁ ଗାଇଡ଼ଲାଇନ ବିଷୟରେ ଅବଗତ କରାଇବା ପାଇଁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.