ବେପାରୀଙ୍କ କବ୍‌ଜାରେ ଧାନମଣ୍ଡି; ଚାଷୀ ହତାଶ

0

ଶହ ଶହ ଚାଷୀଙ୍କ ଧାନ ଫେରାଉଛି ମିଲ୍‌ର

ଜଗତସିଂହପୁର, ସୁମନ୍ତ କୁମାର ଦାସ: ଜୱାଦ ସାମୁଦ୍ରିକ ଝଡରେ ଜିଲ୍ଲାର ଶହ ଶହ ଏକର ଧାନ ଫସଲର କ୍ଷତି ଘଟିଛି। ତେବେ ରଘୁନାଥପୁର ବ୍ଲକର ବିଭିନ୍ନ ଧାନମଣ୍ଡିରେ ଚାଷୀମାନଙ୍କ ଧାନ ଟିକେ ମଇଳା କିମ୍ବା ପାଣି ବାଜି ସାମାନ୍ୟ ରଙ୍ଗ ବଦଳି ଥିବାରୁ ଉକ୍ତ ଧାନ ଗୁଡିକୁ ମିଲରମାନେ ଫେରାଇ ଦେଉଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି । ଏପରିକି ଧାନ ଭଲ ଥିଲେ ମଧ୍ୟ ଧାନର ରଙ୍ଗ ବର୍ଷା ଜଳରେ ମଇଳା ହୋଇଥିବାରୁ ମଣ୍ଡିମାନଙ୍କରେ ମିଲ୍‌ର ଉକ୍ତ ଧାନକୁ ନେଉ ନାହଁନ୍ତି। ଏହାର ସୁଯୋଗ ନେଇ ଉକ୍ତ ଚାଷୀଙ୍କ ଟୋକନରେ ବେପାରୀମାନେ ଧାନ ଦେଉଥିବା ନେଇ ଅଭିଯୋଗ ହେଉଛି। ଜାନୁୟାରୀ ମାସରୁ ମଣ୍ଡି ଖୋଲାଯାଇଥିଲେ ମଧ୍ୟ ଆଜି ସୁଦ୍ଧା ସମସ୍ତ ଧାନମଣ୍ଡିରେ ଟୋକନ ପାଇଥିବା ଚାଷୀଙ୍କର ଧାନ କିଣାଯାଇ ନାହିଁ । ଆହୁରି ଶହ ଶହ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳି ନ ଥିବା ସେମାନେ ଅଭିଯୋଗ କରିଛନ୍ତି । ଶହ ଶହ ଚାଷୀଙ୍କ ହଜାର ହଜାର କ୍ରିଣ୍ଟାଲ ଧାନ ଏବେବି ବାହାରେ ପଡ଼ିଥିଲେ ମଧ୍ୟ ଉକ୍ତ ଧାନକୁ ନିମ୍ନମାନର ଧାନ ଦର୍ଶାଇ ମିଲରମାନେ ନେଉନାହାଁନ୍ତି । ଅନ୍ୟପକ୍ଷରେ ମିଲରମାନେ ଭଲ ଧାନକୁ ମଧ୍ୟ ଖରାପ ଦର୍ଶାଇ ୨କିଲୋରୁ ୫କିଲୋ ପର୍ଯ୍ୟନ୍ତ ପ୍ରତି କ୍ରିଣ୍ଟାଲରେ କାଟୁଛନ୍ତି ଶହ ଶହ ଗରିବ ଚାଷୀ ବିଭିନ୍ନ ବ୍ୟାଙ୍କରୁ ଋଣ ସହ ଧାର କରଜ କରି ଓ ସୁନା, ରୂପା ବନ୍ଧକ ରଖୁ ବହୁ କଷ୍ଟରେ ଖରିଫ ଧାନଚାଷ କରିଥିଲେ। ଜୱାଦ ସାମୁଦ୍ରିକ ଝଡ଼ରେ ଶତକଡା ୭୫ଭାଗ ଧାନ ନଷ୍ଟ ହୋଇଯାଇଛି। ଆଉ ଅବଶିଷ୍ଟ ଶତକଡା ୨୫ଭାଗ ଧାନକୁ ମଣ୍ଡିରେ ମିଲରମାନେ ଖରାପ ଧାନ କହି ଫେରାଇ ଦେଉଛନ୍ତି ଏହି ପରିସ୍ଥିତିରେ ଚାଷୀ ମୁଣ୍ଡରେ ଚଡକ ପଡ଼ିବା ସହିତ ବହୁ ଚାଷୀ ଚିନ୍ତାରେ ଥିବା ପ୍ରକାଶ କରିଛନ୍ତି । ଏଥ୍‌ପ୍ରତି ଦୃଷ୍ଟି ଦେଇ ଚାଷୀମାନଙ୍କ ଧାନକୁ ମିଲର କିଣିବା ନିମନ୍ତେ ପ୍ରାଶାସନ ନିର୍ଦ୍ଦେଶ ଦେବାକୁ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି।

Leave A Reply

Your email address will not be published.