ସ୍ନାତକ ମହିଳା ମହାବିଦ୍ୟାଳୟରେ “ଯୁବସଂସ୍କାର” କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରାରମ୍ଭ କରାଯାଇଥିବା “ଯୁବ ସଂସ୍କାର” କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରିନା ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ତଥା ବିଶିଷ୍ଟ ଶିକ୍ଷାବିତ ଡ. ଶଙ୍କର ପ୍ରସାଦ ବକ୍ସି ଯୋଗଦେଇ ଡ.ଶ୍ରୀ ବକ୍ସି “ଯୁବ ସଂସ୍କାର”ର ଆକ୍ଷରିକ ଅର୍ଥ ବୁଝାଇବା ସହ ସଂସ୍କାର ଶିକ୍ଷଣର ମୂଳ ଉତ୍ସ ପରିବାର ଓ ପରେ ଶିକ୍ଷାନୁଷ୍ଠାନ ବୋଲି କହିଥିଲେ।
ଉଭୟ ପିତାମାତା ଓ ଗୁରୁଙ୍କ ପାଖରୁ ଯୁବପୀଢି ନୈତିକ ତଥା ମୁଲ୍ୟବୋଧ କୈନ୍ଦ୍ରିକ ସଂସ୍କାର ସହିତ ଜାତୀୟତା ଓ ଧାର୍ମିକ ପ୍ରେମରେ କିପରି ଉଦ୍‌ବୁଦ୍ଧ ହେବେ ତାହା ପ୍ରକାଶ କରିଥିଲେ। ଏଥି ସହିତ ଆଧୁନିକ ପ୍ରଯୁକ୍ତି ବିଦ୍ୟାଯୁଗରେ ଛାତ୍ରଛାତ୍ରୀ ମାନଙ୍କର ବେଶପୋଷାକ, ଆଚାରବ୍ୟବହାର, ଚାଲିଚଳନି ସମେତ ବୃତ୍ତିଗତ ସଂସ୍କାର ଆଣି ଶୃଙ୍ଖଳିତ ହେବା ଆବଶ୍ୟକ ବୋଲି ଉପଦେଶ ଛଳରେ କହିଥିଲେ।
ସେହିପରି ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ଛାତ୍ରୀମାନେ ନିଜେ ସଂସ୍କାରିତ ହେଲେ ଆଗାମୀ ବଂଶଧରମାନଙ୍କୁ ଏକ ସୁସ୍ଥ ସମାଜଗଠନ କରିବାରେ ସହାୟକ ହୋଇପାରିବେ ବୋଲି ଉଦ୍‌ବୋଧନ ଦେଇଥିଲେ। ଏଥି ସହିତ ଶୃଙ୍ଖଳିତ ଓ ସଂସ୍କାରିତ ସମାଜ ବୈଦିକ ସଭ୍ୟତାର ପରିଚୟ ବୋଲି ଅଧ୍ୟକ୍ଷା ନିଜ ମନ୍ତବ୍ୟ ରଖିଥିଲେ।
ଶେଷରେ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍ ଅଧିକାରୀ ଡ. ଭାରତୀ ପାଣିଗ୍ରାହୀ ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀର , ଆତ୍ମା ଶୁଦ୍ଧି କରଣରେ, ସମାଜରେ ମାନବତାର ନିଦର୍ଶନ ପ୍ରଦାନ ହିଁ ସମାଜରେ ସଂସ୍କାର ଆସି ପାରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରୀମାନେ ଯୋଗଦେଇଥିବା ବେଳେ ରାଜେଶ ପାତ୍ର, ଏଲ୍ ଅଶୋକ, ଲାଲି ଖଡଗରାୟ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.