ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ-୨୦୨୨ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭା ଗୃହ ଠାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସସିଇଆରଟି: ସହଯୋଗରେ ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ -୨୦୨୨ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ଯୋଗଦେଇ ବିଜ୍ଞାନର ପ୍ରଚାର ପ୍ରସାର କରିବା ସହ ରମଣ ପ୍ରଭାବର ଉଦ୍ଭାବକ ବୈଜ୍ଞାନିକ ଚନ୍ଦ୍ରଶେଖର ରମଣଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ହିଁ ଦିବସ ପାଳନର ମୁଖ୍ୟ ଉଦ୍ଦେଶ ବୋଲି କହିଥିଲେ।
ମୁଖ୍ୟତଃ ଦୈନନ୍ଦିନ ଜୀବନରେ ବିଜ୍ଞାନର ପ୍ରୟୋଗ , ମାନବ କଲ୍ୟାଣରେ ବିଜ୍ଞାନର ସଫଳତା , ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବା , ନୂତନ ବୈଜ୍ଞାନିକ ଜ୍ଞାନ କୌଶଳ ପ୍ରୟୋଗ କରିବା ଏବଂ ବୈଜ୍ଞାନିକ ଚିନ୍ତାଧାରା ଥିବା ବ୍ୟକ୍ତି ମାନଙ୍କ ଉତ୍ସାହିତ କରିବା ଉପରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହକାରୀ ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୁଲୁ ରବି କୁମାର , ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ ଲଳିତ କୁମାର ନାୟକ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନବ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ରମଣ ପ୍ରଭାବ କଣ ଓ ତାହାର ବିଶେଷତ୍ୱ ଓ ଆବିଷ୍କାରର ବିଭିନ୍ନ ଦିଗ ସମ୍ପର୍କରେ କହି ଜାତୀୟ ବିଜ୍ଞାନ ଦିବସ-୨୦୨୨ ପାଳନ ଅବସରରେ ଚଳିତ ବର୍ଷପାଇଁ ରହିଥିବା “ଥିମ ” “ଧାରଣାକ୍ଷମ ଭବିଷ୍ୟତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସମନ୍ୱିତ ଦୃଷ୍ଟିକୋଣ” ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ କବିତା ରାଉତ , ଶିବ କଲ୍ୟାଣୀ ଆଚାର୍ଯ୍ୟ ଓ ଶ୍ରୀ ୱାଇ କ୍ରିଷ୍ନାରାଓ ପ୍ରମୁଖ ଜାତୀୟ ବିଜ୍ଞାନ ଦିବସର ତାତ୍ପର୍ଯ୍ୟ ଓ ରମଣ ପ୍ରଭାବର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

Leave A Reply

Your email address will not be published.