ହିଣ୍ଡାଲକୋ ହୀରାକୁଦ ପକ୍ଷରୁ ବୃହତ ସ୍ପେଶାଲିଷ୍ଟ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

0

ହୀରାକୁଦ /ଭୁବନେଶ୍ୱର: ହିଣ୍ଡାଲକୋ ହୀରାକୁଦ ପକ୍ଷରୁ ହୀରାକୁଦ ସରକାରୀ ହାଇସ୍କୁଲଠାରେ ନିକଟରେ ଏକ ସ୍ପେଶାଲିଷ୍ଟ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ସମ୍ବଲପୁର କ୍ଲଷ୍ଟର ହେଡ୍‍ ଶ୍ରୀ କୈଳାସ ନାଥ ପାଣ୍ଡେ ଏବଂ ସମ୍ବଲପୁରର ପରିବାର ନିୟୋଜନ ଏଡିଏମ୍‍ଓ ଡା.ଭରତ ଦାଶ ମିଳିତ ଭାବରେ ଏହି ସ୍ପେଶାଲିଷ୍ଟ ସ୍ୱାସ୍ଥ୍ୟ ଶିବିରକୁ ଉଦ୍‍ଘାଟନ କରିଥିଲେ । ମାନବସମ୍ବଳ ମୁଖ୍ୟ ଶ୍ରୀ କ୍ରିଷ୍ଣା ପାଢୀ, ପ୍ଲାଣ୍ଟ ମୁଖ୍ୟ ଶ୍ରୀ ଦେବାଶିଷ ମଲିକ, ଶକ୍ତି ପ୍ରକଳ୍ପ ମୁଖ୍ୟ ଶ୍ରୀ ପାଞ୍ଜଳ ପାଠକ, ଏଫଆରପି ମୁଖ୍ୟ ଏବଂ ଓଡ଼ିଶା ମାନବସମ୍ବଳ ବିଭାଗର ଶ୍ରୀ ସୁରଜିତ ମିତ୍ର, କ୍ଲଷ୍ଟର ଏଚ୍‍ଆର୍‍ ମୁଖ୍ୟ ଶ୍ରୀ ସତୀଶ ଆନନ୍ଦ ଏବଂ ଫାଇନାନ୍ସ କ୍ଲଷ୍ଟର ମୁଖ୍ୟ ଶ୍ରୀ ଶ୍ରୀନାଥ ମିଶ୍ର ପ୍ରମୁଖ ବରିଷ୍ଠ କାର୍ଯ୍ୟନିର୍ବାହୀଗଣ ଏହି ସ୍ୱାସ୍ଥ୍ୟ ଶିବିରରେ ଉପସ୍ଥିତ ଥିଲେ ।
ସମ୍ବଲପୁର ଏଡିଏମ୍‍ଓ ଡା. ଦାଶ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରକାଶ କରିବା ସହିତ ହୀରାକୁଦ ଜନସାଧାରଣଙ୍କ ଯତ୍ନ ନିମନ୍ତେ ଏଭଳି ସ୍ପେଶାଲିଷ୍ଟ ଶିବିର ଆୟୋଜନ ପାଇଁ ହିଣ୍ଡାଲ୍‍କୋକୁ ପ୍ରଶଂସା କରିଥିଲେ । ସେ ମଧ୍ୟ ଉଲ୍ଲେଖ କରିଥିଲେ ଯେ ସେ ସମ୍ବଲପୁରରେ କୋଭିଡ ଦାୟିତ୍ୱରେ ଥିବା ସମୟରେ ହିଣ୍ଡାଲ୍‍କୋ ପକ୍ଷରୁ ସରକାରଙ୍କୁ ଯୋଗାଇ ଦିଆଯାଇଥିବା ସହାୟତାକୁ ସେ ଭୁଲିପାରିବେ ନାହିଁ । ହିଣ୍ଡାଲ୍‍କୋ କ୍ଲଷ୍ଟର ମୁଖ୍ୟ ଶ୍ରୀ କୈଳାସ ପାଣ୍ଡେ ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ପ୍ରକାଶ କରି କହିଥିଲେ ଯେ ଭବିଷ୍ୟତରେ ମଧ୍ୟ ହିଣ୍ଡାଲକୋ ଜନକଲ୍ୟାଣ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ ରଖିବ । ସେ କହିଥିଲେ ଯେ ସ୍ଥାନୀୟ ଅଞ୍ଚଳର ବିକାଶ ଆମପାଇଁ ମୂଳ ମୂଲ୍ୟବୋଧ ହୋଇ ରହିଆସିଛି ଏବଂ ଆମେ ଅତ୍ୟନ୍ତ ଆଗ୍ରହର ସହିତ ଏହାକୁ ଅନୁପାଳନ କରିବୁ । ମାନବ ସମ୍ବଳ ମୁଖ୍ୟ ଶ୍ରୀ କ୍ରିଷ୍ଣା ପାଢୀ ଏଭଳି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଏବଂ ଅଞ୍ଚଳର ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ହିଣ୍ଡାଲକୋ କିଭଳି ସଂପୃକ୍ତ ରହିଛି, ତାହା ଉଲ୍ଲେଖ କରିଥିଲେ । କୋଭିଡ ମହାମାରୀ ଆମକୁ ଚିକିତ୍ସା ବିଷୟ ଉପରେ ଧ୍ୟାନ କେନ୍ଦ୍ରିଭୂତ କରିବାକୁ ବାଧ୍ୟ କରିଥିବାବେଳେ ସଂପ୍ରତି ଆମ ଜନସମୁଦାୟର ବିକାଶ ଉପରେ ଦୃଷ୍ଟିନିବଦ୍ଧ କରିବାକୁ ଆମ ପାଇଁ ସମୟ ଆସିଛି ଏବଂ ଆମେ ସେହି ଦିଗରେ ପଦକ୍ଷେପ ନେଉଛୁ । ସ୍ଥାନୀୟ ଜନସମୁଦାୟଙ୍କ ସମର୍ଥନରେ ସିଏସ୍‍ଆର କାର୍ଯ୍ୟକଳାପକୁ ଅଧିକ ପରିବ୍ୟାପ୍ତ କରାଯିବ ।

ହୀରାକୁଦ ବରିଷ୍ଠ ନାଗରିକ ସଂଘର ସଭାପତି ହୀରାକୁଦ ବାସିନ୍ଦାଙ୍କ ସ୍ୱାସ୍ଥ୍ୟଯତ୍ନ ନିମନ୍ତେ ହିଣ୍ଡାଲକୋର ପ୍ରୟାସକୁ ପ୍ରଶଂସା କରିଥିଲେ । ଭବିଷ୍ୟତରେ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ହିଣ୍ଡାଲ୍‍କୋକୁ ଅନୁରୋଧ କରିଥିଲେ । କୋଭିଡ-୧୯ର ସମସ୍ତ ନିୟମକୁ ଅନୁପାଳନ କରି ଏବଂ ଲୋକମାନେ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଥିବା ବିଷୟକୁ ଦୃଷ୍ଟିରେ ରଖି, ଜନସାଧାରଣଙ୍କୁ ସହାୟତା କରିବା ସକାଶେ ସ୍ପେଶାଲିଷ୍ଟ ଚିକିତ୍ସା ଓ ମାଗଣା ଔଷଧ ସହିତ ଏହି ଶିବିର ଆୟୋଜନ କରାଯାଇଥିଲା ।
ଏହି ସ୍ପେଶାଲାଇଜଡ ସ୍ୱାସ୍ଥ୍ୟ ଶିବିରରେ ଡା.ନେତ୍ରାନନ୍ଦ ଦୋରା, ଡା.କେଶବ ବୁଡୁଲୁ (ଭେଷଜ ବିଭାଗ), ଡା.ପଦ୍ମାଳୟା ମିଶ୍ର ଓ ଡା.ଆଶୁତୋଷ ମିଶ୍ର (ସ୍ତ୍ରୀ ରୋଗ ବିଭାଗ), ଡା.ଚନ୍ଦନ ମାରାଣ୍ଡି, ପିଏଚ୍‍ଡି (ଶିଶୁ ରୋଗ), ଡା.ଆଶିଷ କୁମାର ନାୟକ (ଚର୍ମ), ଡା.ସୁନିଲ କୁମାର କର (ଅର୍ଥୋଜେରିଆଟ୍ରିକ) ଏବଂ ଇଆଣ୍ଡ୍‍ଏନଟି ଡାକ୍ତରମାନେ ୩୮୭ ଜଣ ରୋଗୀଙ୍କର ଚିକିତ୍ସା କରିଥିଲେ ।
ହିଣ୍ଡାଲକୋର ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସୁବ୍ରତ ଚାଟାର୍ଜୀ ଏବଂ ହିଣ୍ଡାଲ୍‍କୋ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଏହି ସ୍ୱାସ୍ଥ୍ୟ ଶିବିରରେ ଅଂଶଗ୍ରହଣ କରିବା ସହିତ ଏହା ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମ ହିଣ୍ଡାଲ୍‍କୋ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସିଏସ୍‍ଆର ବିଭାଗର ସମସ୍ତ କର୍ମଚାରୀଙ୍କ ଦ୍ୱାରା ହୀରାକୁଦ ସରକାରୀ ଡାକ୍ତରଖାନାର କର୍ମଚାରୀ ଏବଂ ଡାକ୍ତରମାନଙ୍କ ସହଯୋଗରେ ଆୟୋଜନ କରାଯାଉଛି ।

Leave A Reply

Your email address will not be published.