ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବିକାଶ କେବଳ କାଗଜ କଲମରେ ହିଁ ପ୍ରଚାର ପ୍ରସାରରେ ଅଟକି ରହିଛି। ଭାରତ ସ୍ଵାଧିନତା ହେବାର ଦୀର୍ଘ ବର୍ଷ ବିତିଲାଣି ହେଲେ ଏଥି ମଧ୍ୟରେ ଅନେକ ନେତା ମନ୍ତ୍ରୀ ସରକାରୀ ବାବୁ ଆସିଲେଣି ଗଲେଣି ଆଉ ଅଭିଯୋଗ ପରେ ଅଭିଯୋଗ ଦେଇ ଦେଇ ଜନତା ଥକି ଗଲେଣି କିନ୍ତୁ ଖାଲି ମିଥ୍ୟା ପ୍ରତିଶ୍ରୁତିରେ ଲୋକଙ୍କୁ ଠକି ଚାଲିଛନ୍ତି। ଆଉ କିଛିଦିନ ପରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ନେତା ସଜବାଜ ହୋଇ ପ୍ରସ୍ତୁତ ହେଉଥିବା ବେଳେ ଜନତା ତାର ସଠିକ ଜବାବ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର ବାଦପୁର ଗ୍ରାମ। ପଞ୍ଚାୟତଠାରୁ ମାତ୍ର ୭କିମି ଦୂର ୱାର୍ଡ ନଂ ୨ ଓ ୱାର୍ଡ଼ ନଂ ୩। ଏହି ଦୁଇଟି ୱାର୍ଡ଼ ଗୋଟିଏ ଗ୍ରାମରେ । ପରିବାର ସଂଖ୍ୟା ୧ ହଜାର ଥିବା ବେଳେ ଭୋଟର ସଂଖ୍ୟା ରହିଛନ୍ତି ୧୫ ଶହରୁ ଉର୍ଦ୍ଧ୍ବ । ଲୋକ ସଂଖ୍ୟା ୨ ହଜାରରୁ ଉର୍ଦ୍ଧ୍ବ । ହେଲେ ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ବର୍ଷା ଦିନେ ଗ୍ରାମ ରାସ୍ତା କାଦୁଅ ପଚପଚ । ଗ୍ରାମକୁ ଗାଡି ଯିବା ମୁସ୍କିଲ । ଅତି ଜରୁରୀ କାଳୀନ ସେବା ମଧ୍ୟ ପହଁଚି ପାରୁନି ଗ୍ରାମରେ। ବର୍ଷା ହେଲେ ପିଲାଙ୍କ ପାଠ ପଢା ବନ୍ଦ । କୌଣସି ଗର୍ଭବତୀ ମା’ଙ୍କୁ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେବାକୁ ହେଲେ ଆମ୍ବୁଲାନ୍ସ ଗ୍ରାମକୁ ପହଞ୍ଚି ପାରୁନି। ଯାହାଦ୍ୱାରା ଲୋକେ ଦୋଳାରେ ୧ କିମି ଚାଲି ଚାଲି ଯିବା ପରେ ଆମ୍ବୁଲାନ୍ସ ସେବା ମିଳିଥାଏ ।
ସେହିପରି ଗ୍ରାମରେ ଦୁଇଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ଦୁଇଟି ଯାକ ଅଙ୍ଗନବାଡି ଗୃହ ଅଧାଗଢ଼ା ହୋଇ ପଡି ରହିଛି । ତାହା ଏବେ ହିଂସ୍ରଜନ୍ତୁଙ୍କ ଆଡ଼ାସ୍ଥଳୀ ପାଲଟିଛି । ଅଙ୍ଗନବାଡ଼ି ଦିଦି ପିଲାଙ୍କୁ ନିଜ ବାରଣ୍ଡାରେ ବସାଇ ପାଠ ପଢାଉଛନ୍ତି।
ଗ୍ରାମରେ ପିଇବା ପାଇଁ ପାଣିର ଘୋର ଅଭାବ । ଲୋକେ ବାଧ୍ଯ ହୋଇ ପୋଖରୀର ଦୁଷିତ ଜଳ ବ୍ୟବହାର କରୁଛନ୍ତି। ଗ୍ରାମରେ ଗୋଟିଏ ବନ୍ଧ ନିର୍ମାଣ ହୋଇଛି । ତାହା ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ଏଭଳି ଦୀର୍ଘବର୍ଷ ଧରି ବିଭିନ୍ନ ମୌଳିକ ସମସ୍ୟାରୁ ବଞ୍ଚିତ ଥିବାରୁ ବାଦପୁର ଗ୍ରାମବାସୀ ଶେଷରେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବିଡିଓଙ୍କୁ ମଧ୍ୟ ଏସମ୍ପର୍କରେ ଜଣାଇଛନ୍ତି । ଏହା ମଧ୍ୟରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସଫଳତା ନ ମେଳିବାରୁ ଶେଷରେ ଗ୍ରାମବାସୀ ଭୋଟ ବର୍ଜନ କରିବା ସହ ଗ୍ରାମ ଭିତରକୁ କୌଣସି ନେତାଙ୍କୁ ପୁରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ତେବେ କେବେ ଗ୍ରାମବାସୀଙ୍କୁ ମୌଳିକ ଅଧିକାର ମିଳିବ ତାହା ଦେଖିବାକୁ ବାକି ରହିଲା।
Sign in
Sign in
Recover your password.
A password will be e-mailed to you.