ବଲାଙ୍ଗୀରର ପ୍ରଥମ ସ୍ବାଧୀନତା ସଂଗ୍ରାମୀଙ୍କୁ ଉପେକ୍ଷା

0

ମାଟିରେ ମିଶିବାକୁ ବସିଲାଣି ଅକୁହା ନାୟକଙ୍କ ବୀରତ୍ବ ଗାଥା

ବଲାଙ୍ଗୀର/ ନିରୋଜ ମିଶ୍ର : ଜିଲ୍ଲାର ପ୍ରଥମ ସ୍ବାଧୀନତା ସଂଗ୍ରାମୀଙ୍କୁ ଉପେକ୍ଷା । ଆଜିବି ତାଙ୍କୁ ଇତିହାସରେ ମିଳିଲାନି ସ୍ଥାନ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବଲାଙ୍ଗୀର ଆଠଗାଁର ଜମିଦାର ସ୍ବର୍ଗତ ଧରମ ସିଂ ମାଝୀ ମାନ୍ଧାତା । ଏବେକାର ବଲାଙ୍ଗୀର ସେତେବେଳେ ପାଟଣା ରାଜ୍ୟ କୁହାଯାଉଥିବା ବେଲେ ଧରମ ସିଂହ ମାଝୀ ମାନ୍ଧାତା ଆଠଗାଁର ଜମିଦାର ଥିଲେ। ସେ ଥିଲେ ଜଣେ ଦକ୍ଷ ଯୋଦ୍ଧା , ଅପାର ସାହାସର ଧନୀ । ଭାରତର ସିପାହୀ ବିଦ୍ରୋହ ପୂର୍ବରୁ ହୋଇଥିବା କନ୍ଧ ମେଳିର ସେ ଜଣେ ଆଗୁଆ ଯୋଦ୍ଧା ଥିଲେ। ସେହି ସମୟରେ ଅର୍ଥାତ 1853 ମସିହାରେ କନ୍ଧ ନେତା ଚକରା ବିଶୋଇ ଇଂରେଜ ବିରୋଧରେ ଲଢେଇ କରୁଥିଲେ। ଘୁମସର କନ୍ଧ ଆନ୍ଦୋଳନ ଆଜି ବି ଇତିହାସରେ ଲିପିବଦ୍ଧ ହୋଇ ରହିଛି। ସେହି ସମୟରେ ଚକରା ବିଶୋଇ ଙ୍କୁ ଇଂରେଜ ମାରିବା ପାଇଁ ଅନେକ ଷଡଯନ୍ତ୍ର କରିଥିଲେ। ଏହା ପରେ ଚକରା ବିଶୋଇ ବଲାଙ୍ଗୀରର ଭୀମ ପାହାଡ ଓ ଆଠଗାଁ ଅଞ୍ଚଳରେ ରହି ଆସୁଥିଲେ। ଏହି ସମୟରେ ଆଠଗାଁ ଜାମିନଦାର ଧରମ ସିଂହ ମାଝୀ ମାନ୍ଧାତା ଆଶ୍ରୟ ଦେଇ ନିଜେ ମଧ୍ୟ କନ୍ଧ ମେଳିରେ ସାମିଲ ହୋଇ ଇଂରେଜ ମାନଙ୍କ ବିରୋଧରେ ଲଢେଇ ଆରମ୍ଭ କରିଥିଲେ। ଯାହାପରେ କନ୍ଧ ମେଳିକୁ ବନ୍ଦ କରିବା ପାଇଁ ନିଯୁକ୍ତ ଥିବା ଇଂରେଜ ଅଧିକାରୀ ଆର ଏ ମେକଡନାଲଡ଼ ସୈନ୍ୟ ପଠାଇ ଜମିଦାରଙ୍କୁ ଗିରଫ କରିଥିଲେ । ତେବେ ସେହିଦିନ ଠାରୁ ତାଙ୍କର ଆଉ ପତ୍ତା ମିଳିନଥିଲା । ତେବେ ସେ ସମୟରେ ଏହି ଧରମ ସିଂହ ମାଝୀ ମାନ୍ଧାତା ତାଙ୍କ ଅଞ୍ଚଳ ପାଇଁ ଅନେକ ବିକାଶ ମୂଳକ କାମ କରିଥିବା ବେଳେ ତାଙ୍କ ଦ୍ୱାରା ସ୍ଥାପିତ 1800 ମସିହାର ସ୍କୁଲ ଏବେବି ରହିଛି । ସେହିପରି ତାଙ୍କର ଘର, ମନ୍ଦିର ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ସେତେବେଳର ଇତିହାସ ନିଜ ଭିତରେ ସାଇତି ରଖିଛି । ଏହାର ପୁନରୁଦ୍ଧାର ନ ହେଲେ ତାହା ମଧ୍ୟ ଆଗକୁ ମାଟିରେ ମିଶି ଯିବ ଓ ଜଣେ ସଂଗ୍ରାମୀଙ୍କ ଗାଥା ସବୁଦିନ ପାଇଁ ଲିଭି ଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

Leave A Reply

Your email address will not be published.