- ପର୍ଯ୍ୟଟକଙ୍କ ଯିବା ଆସିବା ବାଟ କଡରେ ଶୋଭା ବଢ଼ାଉଛି କୁଢ଼କୁଢ ମଇଳା
- ଦୁର୍ଗନ୍ଧ ଭିତରେ ରାସ୍ତାଦେଇ ଯିବା ଆସିବା କରୁଛନ୍ତି ହଜାର ହଜାର ଲୋକ
- ବାରମ୍ବାର ଅଭିଯୋଗ ପରେ ମଧ୍ୟ ହୋଇପାରୁନାହିଁ ମୁଖ୍ୟ ରାସ୍ତାର ପରିପାର୍ଶ୍ଵ ସଫେଇ
ବରଗଡ/ ଗୌରାଙ୍ଗ ଦାସ :- ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପବିତ୍ର ପୀଠ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରଦ୍ଧା ତଥା ଭକ୍ତି ର କେନ୍ଦ୍ର ହୋଇଥିବା ହଜାର ହଜାର ପର୍ଯ୍ୟଟକ ଓ ଗବେଷକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ . ନୃସିଂହନାଥ ମହାପ୍ରଭୁଙ୍କ ନିକଟରେ ରହିଛି ବହୁ ପୁରାତନ ମାଁ ବିନ୍ଧ୍ୟବାସିନୀ ଦେବୀଙ୍କ ଆସ୍ଥାନ , ମା ସମଲେଶ୍ୱରୀଙ୍କ ମନ୍ଦିର, ଭୋଲେନାଥ ଙ୍କ ମନ୍ଦିର , ମା ଦକ୍ଷିଣ କାଳୀ ଙ୍କ ପ୍ରାଚୀନ ମନ୍ଦିର । ଏହି ପବିତ୍ର ପୀଠ ଜୈବ ବିବିଧତାର ଅନନ୍ୟ ଗନ୍ତାଘର ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ର ପାଦଦେଶରେ ଅବସ୍ଥିତ ଥିବା କାରଣରୁ ଏହା ଭାରତ ସାରା ପର୍ଯ୍ୟଟକ ଓ ଗବେଷକଙ୍କ ପ୍ରବଳ ଆବାଗମନ ହୋଇଥାଏ । ସେହିଭଳି ଗନ୍ଧମାର୍ଦ୍ଦନ ପର୍ବତରେ ବହୁ ପ୍ରକାର ଔଷଧୀୟ ବୃକ୍ଷର ବହୁଳତା ଥିବା କାରଣରୁ ପ୍ରତ୍ୟେକ ଦିନ ଏଠାକୁ ବହୁ ସଂଖ୍ୟାରେ ଆୟୁର୍ବେଦ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ଆଗମନ ବି ହୋଇଥାଏ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମହାପ୍ରଭୁ ଙ୍କ ପୀଠ ନିକଟରେ ଅବସ୍ଥିତ ମହାପ୍ରଭୁ ଙ୍କ ନାମରେ ନାମିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗନ୍ଧମାର୍ଦ୍ଦନ ଏକ ମୁକ୍ତାକାଶ ଗବେଷଣା କେନ୍ଦ୍ର । ପୁରାତନ ଇତିହାସ ପୃଷ୍ଠାରେ ଗନ୍ଧମାର୍ଦ୍ଦନ ପର୍ବତର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି | କୁହାଯାଏ ଚୀନ୍ ପରିବ୍ରାଜକ ଙ୍କ ଏକ ଲେଖାରେ ଏହି ପର୍ବତରେ ଏକ ବିଶ୍ୱବିଦ୍ୟାଳୟ ରହିଥିଲା । ଇତିହାସ ସହିତ ଗନ୍ଧମାର୍ଦ୍ଦନ ପର୍ବତ ଓ ଏହା ଆଖପାଖ ଅଞ୍ଚଳ ଉପରେ ଗବେଷଣା ପାଇଁ ଅହରହ ଐତିହାସିକ ମାନଙ୍କ ଆଗମନ ହୋଇଥାଏ । ଏହି ସବୁ ଯଥା ଉଲ୍ଲେଖ କରିବାର କାରଣ ହେଲା ଯେ ସବୁ ପ୍ରକାର ଯାତ୍ରୀ ଙ୍କ ସଂଖ୍ୟା କୁ ଯଦି ଆକଳନ କରାଯିବ ତେବେ ନୃସିଂହନାଥ କୁ ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ଙ୍କ ଆଗମନ ହୋଇଥାଏ ।
ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର କୁ ଆସିବାକୁ ହେଲେ ଆପଣ ମାନଙ୍କୁ ପାଇକମାଳକୁ ଆସିବାକୁ ପଡିବ । ପଦ୍ମପୁର ସହର ଦେଇ ଆସିଲେ ପାଇକମାଳ ମୁଖ୍ୟ ଛକରୁ ପଦ୍ମପୁର ପଟକୁ ମାତ୍ର କିଛି ଦୂରରେ ଦେଖିବାକୁ ମିଳିବ ପାଇକମାଳ ପ୍ରଶାସନର ଉଦାସୀନତା । ମୁଖ୍ୟ ରାସ୍ତାର ଦୁଇ କଡ଼ରେ ପଡ଼ି ରହିଛି କୁଢ଼ କୁଢ଼ ମଇଳା । ଯାହା ପରିବେଶ କୁ ମାତ୍ରାଧିକ ଭାବରେ ଦୂଷିତ କରିବା ସହିତ ସାଧାରଣ ଜନତାଙ୍କୁ ଅତ୍ୟନ୍ତ ପ୍ରଭାବିତ କରୁଛି । ପ୍ରତେକ୍ ଦିନ ଏହି ରାସ୍ତା ଦେଇ ବହୁ ବଡ଼ବଡ଼ ଅଧିକାରୀ ମାନେ ବାତାନୁକୁଳ ଗାଡ଼ିରେ ଯିବା ଆସିବା କରନ୍ତି,ଏଥିପାଇଁ ତାଙ୍କ ଆଖିରେ ଏହି ଆବର୍ଜନା । ନିୟମିତ ଭାବରେ ପଡ଼େନାହିଁ କିମ୍ବା ପଡ଼ିଥିବା ଆବର୍ଜନା ର ଦୁର୍ଗନ୍ଧ ତାଙ୍କ ନାକରେ ବାଜୁ ନାହି ।ନିୟମିତ ଭାବରେ ସଫା କରିବା ଯେଉଁମାନଙ୍କ ଦାୟିତ୍ୱ ସେମାନେ ନିଜ ଦାୟିତ୍ୱକୁ ସମ୍ପାଦନ କରିବା ପାଇଁ ଅସମର୍ଥ ଓ ବିଫଳ । ପ୍ରଶାସନର ଦାୟିତ୍ୱହୀନତା ର ଫଳାଫଳ ଭୋଗୁଛନ୍ତି ସାଧାରଣ ଜନତା ଓ ନାକ ଟେକୁଛନ୍ତି ପର୍ଯ୍ୟଟକ ଗବେଷକ । ଅତ୍ୟଧିକ ପରିମାଣ ରେ ଦୁର୍ଗନ୍ଧ ହେଲେ କିମ୍ବା ଆବର୍ଜନା ଜମା ହେଲେ ପାଇକମାଳ ର ବ୍ୟବସାୟୀ ଓ ସ୍ବେଛାସେବୀ ମାନେ ସ୍ୱାଭାବିକ ଭାବରେ ସଫେଇ କରିଥାନ୍ତି । ହେଲେ ନିୟମିତ ସଫେଇ ଦାୟିତ୍ୱ କାହାର ଦାୟିତ୍ୱ ? ଏହି ଦୁର୍ଗନ୍ଧ ପୂର୍ଣ୍ଣ ଆବର୍ଜନା କାରଣରୁ ଅନେକ ଅନେକ ପ୍ରକାର ରୋଗ ବ୍ୟାଧି ବ୍ୟାପିବାର ସମ୍ଭାବନା କୁ ଏଡ଼ାଇ ଦିଆ ଯାଇ ନ ପାରେ । ଆମ ସରକାର ସବୁବେଳେ ପରିମଳକୁ ଅଗ୍ରାଧିକାର ଦେଇ ଆସୁଛନ୍ତି ହେଲେ| ସରକାର ଙ୍କର ଆଦେଶକୁ ତୃଣମୂଳ ସ୍ତରରେ ଲାଗୁ କରିବାର ଦାୟିତ୍ୱରେ ଥିବା ବାବୁ ମାନେ କାର୍ଯ୍ୟ କରିବାକୁ ନାରାଜ । ଏହି ସମସ୍ୟା କୁ ନେଇ ପୂର୍ବରୁ ସ୍ଥାନୀୟ ଯୁବସମାଜ ଓ ବୁଦ୍ଧିଜୀବୀ ମାନେ ବହୁ ଅଭିଯୋଗ କରିଛନ୍ତି | ହେଲେ ବାବୁ ମାନେ ଆଜିବି ପାଇକମାଳ ର ଏହି ସମସ୍ୟା ର ସମାଧାନ ନ କରିପାରିବାରୁ ପାଇକମାଳ ତଥା ପବିତ୍ର ନୃସିଂହନାଥ ପୀଠକୁ ଆସୁଥିବା ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଉଛି । ପାଇକମାଳ ହେଉଛି ନୃସିଂହନାଥ ମନ୍ଦିରର ଏକମାତ୍ର ପ୍ରବେଶ ଦ୍ୱାର । ଏଣୁ ଏଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କ ଏହା ପ୍ରଥମ ଦାୟିତ୍ୱ ଯେ ପ୍ରଥମେ ସହରର ପରିମଳ ବ୍ୟବସ୍ଥା ଉପରେ ବିଶେଷ ଭାବରେ ଧ୍ୟାନ ଦେବେ ।