ମେଲଛାମୁଣ୍ଡା(ଶାସକ ପ୍ରଶାସକ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାଲେପାଲି ଛକ ପାଖରେ ସୋମବାର ସକାଳେ ଚୋରା ଚାଲାଣ ହେଉଥିବା ଏକ ଧାନ ବୋଝେଇ ଟ୍ରକ୍ଟରକୁ ଉପଖଣ୍ଡ ସ୍ତରୀୟ ସ୍କାଡ ଦଳ ଧରିବାରେ ସଫଳ ହୋଇଛି । ଧାନ ସବୁକୁ ଜବତ କରି କନସିଂହାସ୍ଥିତ ଉନ୍ନତ ଫୁଡ ରାଇସ ମିଳରେ ଜମାଦିଆଯାଇଛି । ସ୍କାଡ ଦଳରେ ପଦ୍ମପୁର ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପଧାନ, ସୋହେଲା ବ୍ଳକ ଯୋଗାଣ ନିରୀକ୍ଷକ କବିରାଜ ଧରୁଆ, ପାଇକମାଲ ବ୍ଳକ ଯୋଗାଣ ନିରୀକ୍ଷକ ପ୍ରମୋଦ କୁମାର ପଣ୍ଡା, ଝାରବନ୍ଧ ବ୍ଳକ ଯୋଗାଣ ନିରୀକ୍ଷକ ରଶ୍ମିରଂଜନ ଘଡେଇ ପ୍ରମୁଖ ସାମିଲ ଥିଲେ । ପ୍ରଶାସନର ଏହି ପଦକ୍ଷେପକୁ ବୁଦ୍ଧିଜିବୀ ମହଲରେ ସ୍ୱାଗତ କରାଯାଇଛି । ପ୍ରାପ୍ତସୂଚନାନୁସାରେ ପଦ୍ମପୁର ଉପଖଣ୍ଡସ୍ତରୀୟ ଯୋଗାଣ ବିଭାଗର ରାତ୍ର ପେଟ୍ରୋଲିଙ୍ଗ ସମୟରେ ସାଲେପାଲି ଛକ ପାଖରେ ଏକ ଧାନ ବୋଝେଇ ଟ୍ରାକ୍ଟର (ଓଡି ୧୭ ଏମ ୬୯୭୦)କୁ ଅଟଳାଇଥିଲେ । ଏହି ଟ୍ରାକ୍ଟରରେ ୧୨୯ବସ୍ତା ଧାନ ବୋଝେଇ ହୋଇଥିଲା । ଟ୍ରାକ୍ଟର ଡ୍ରାଇଭର ନନ୍ଦକିଶୋର ସାହୁ ବୋଝେଇ ଧାନର କୌଣସି କାଗଜ ପତ୍ର ଦେଖାଇ ପାରି ନ ଥିଲେ । ଡ୍ରାଇଭର ବୟାନ ଅନୁସାରେ ଧାନ ସବୁ ଗାଇସିଲେଟ ବ୍ଳକ ଜଡାଗଂଜା ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ପାଖରୁ ସୋହେଲା ବ୍ଳକ ସନିମାଲ ବାସିନ୍ଦା ଅଶୋକ କୁମାର ପଣ୍ଡାଙ୍କ ପାଖକୁ ବିକ୍ରି ଉଦେଶ୍ୟରେ ଆସୁଥିଲା । ବର୍ତମାନ ଓଡିଶା ସରକାର ଯେଉଁ ଅଂଚଳର ଚାଷୀ ସେହି ଅଂଚଳ ନିକଟସ୍ଥ ମଣ୍ଡିରେ ଧାନ ବିକ୍ରୟ କରିବାର ବ୍ୟବସ୍ଥା କରିଥିବା ବେଳେ କିଛି ଅସାଧୁ ବ୍ୟବସାୟୀ କମ ଦରରେ ଚାଷୀ ମାନଙ୍କ ଠାରୁ କିଣି ମଣ୍ଡିରେ ଚଢା ଦରରେ ବିକ୍ର କରୁଛନ୍ତି । ସେହି ଚୋରା ବେପାରୀ ମାନଙ୍କୁ ମଣ୍ଡିର କିଛି ଅସାଧୁ ଆରଏମସି ଏବଂ ପେକ୍ସର କର୍ମଚାରୀ ସହଯୋଗ କରୁଥିବା ବିଷୟକୁ ନେଇ ଅନେକ ସମୟରେ ଚାଷୀ ମହଳରେ ଅଭିଯୋଗ ମଧ୍ୟ ହେଉଛି । ପ୍ରଶାସନ ତରଫରୁ ଏପରି ଧରପଗଡ ଚାଲୁ ରଖିଲେ ଚୋରା ବେପାରୀ ସାବାଡ ହେବେ ବୋଲି ଚାଷୀ ମହଳରେ ମତ ପ୍ରକାଶ ପାଉଛି ।
Sign in
Sign in
Recover your password.
A password will be e-mailed to you.