କର୍ଣ୍ଣାଟକ ଦମ୍ପତ୍ତିଙ୍କ ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୬ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋର ସହରର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି।
ଗତ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ସମୟରେ ଜିଲ୍ଲାର ବିଭିନ୍ନ ଜାଗାରୁ ପରିତ୍ୟକ୍ତ ଏବଂ ସମର୍ପିତ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ”ନିସାନ ସାଲୋମ” ପାରଳାଖେମୁଣ୍ଡିରେ ରଖାଯିବା ସହ ସେମାନଙ୍କର ଆଡପସନ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ କରାଯାଇଥିଲା।
ପରବର୍ତ୍ତୀ ମୁହୁର୍ତ୍ତରେ ଶିଶୁଟିକୁ ଶିଶୁ ମଙ୍ଗଳ ସମିତି , ଗଜପତି ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ । ଯାହାଦ୍ୱାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ , ତାହା ସମସ୍ତଙ୍କୁ ପୋର୍ଟାଲ ମାଧ୍ୟମରେ ଜଣାଇ ଦିଆଯାଇଥିଲା।
ପରବର୍ତ୍ତୀ ମୁହୂର୍ତ୍ତରେ ତିନି ବର୍ଷ ଧରି ସନ୍ତାନ ପାଇଁ ଅନ୍ ଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ।
ଉପରୋକ୍ତ ଦମ୍ପତ୍ତି ଶାରୀରିକ ଭାବେ ଶିଶୁକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ , ଗଜପତି ପ୍ରସ୍ତୁତ କରିଥିଲେ।
ପରବର୍ତ୍ତୀ ମୂହୁର୍ତ୍ତରେ ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି (ଶୁକ୍ରବାର) ଦିନ ଶିଶୁଟିକୁ କର୍ଣ୍ଣାଟକର ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା।
ଏହି ଶିଶୁଟି କନ୍ୟାରତ୍ନ ହୋଇଥିଲା ବେଳେ ଶିଶୁଟିକୁ ପାଇ ଦମ୍ପତ୍ତି ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା।
ଏହି ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉଳ , ସଦସ୍ୟା ଅଳକା ସାହୁ , ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଡାକ୍ତର ଶ୍ରୀଯୁକ୍ତ ମିଲନ କୁମାର ଅଧିକାରୀ , ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply

Your email address will not be published.