ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କୁ ବିଦାୟ ସମ୍ବର୍ଦ୍ଧନା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ସରୋଜ କୁମାର ବେହେରାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଗତକାଲି ତା. ୩-୧-୨୦୨୨ ରିଖ ରେ ସର୍କିଟ୍ ହାଉସ୍ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।
ଶ୍ରୀ ବେହେରା ୨୦୧୮ ଅକ୍ଟୋବର ମସିହାରୁ ୩-୧-୨୦୨୨ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପଦବୀରେ ରହି ଅନେକ କାର୍ଯ୍ୟ କରିଆସୁଥିଲେ। ଆସନ୍ତା କାଲି ସେ ଯଥା ତା.୫-୧-୨୦୨୨ ରିଖରେ ଓଡ଼ିଶା ମାନବାଧିକାର କମିଶନ୍ କାର୍ଯ୍ୟାଳୟରେ ସଚିବ ଭାବରେ ଯୋଗ ଦେବାର ସୂଚନା ଅଛି ।
ତାଙ୍କର କାର୍ଯ୍ୟକାଳ ଭିତରେ ସେ ଗଜପତି ଜିଲ୍ଲାରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପଦବୀ ଯଥା ଜରୁରୀକାଳିନ ଅଧିକାରୀ , ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପାରଳାଖେମୁଣ୍ଡି , ଅତିରିକ୍ତ ଉପ-ଜିଲ୍ଲାପାଳ , ପାରଳାଖେମୁଣ୍ଡି , ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ କାର୍ଯ୍ୟରତ ଥିଲେ। ଜିଲ୍ଲାରେ ହୋଇଥିବା ତିତିଲି ଭଳି ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟ କେତେ ଗୁଡିଏ ବିପର୍ଯ୍ୟୟକୁ ମୁକାବିଲା କରିବା ସହ କରୋନା ଭଳି ମହାମାରୀକୁ ଗତ ପ୍ରାୟ ଦୁଇବର୍ଷ ହେଲା ସାମ୍ନା କରି ଜିଲ୍ଲାବାସୀଙ୍କର ଅମୂଲ୍ୟ ଜୀବନକୁ ବହୁମାତ୍ରାରେ ସୁରକ୍ଷିତ ରଖ୍ ପାରିଥିଲେ।
ଶ୍ରୀଯୁକ୍ତ ବେହେରା କରୋନାର ପ୍ରଥମ ଫେଜ୍ ରେ କରୋନା ଦ୍ଵାରା ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ଦ୍ଵିତୀୟ ଫେଜରେ କୋଭିଡ଼ ହସ୍ପିଟାଲ୍ ର ଦାୟିତ୍ବରେ ରହି ବହୁ ଜୀବନ ବଞ୍ଚାଇବାରେ ତାଙ୍କର ଭୂମିକା ଗୁରୁତ୍ଵ ଥିଲା । ନିର୍ଦ୍ଦିଷ୍ଟ ଭାବରେ ତିତିଲି ସମୟରେ ରିଲିଫ ସାମଗ୍ରୀ ବଣ୍ଟନ କରିବା , ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇବା , ଗୃହ ଭାଙ୍ଗିଥିବା ପରିବାରକୁ କ୍ଷତିପୂରଣ ଯୋଗାଇବା ଏଥିରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।
ସେ ଜଣେ ମିଷ୍ଟଭାଷୀ , ଭଲ ପ୍ରଶାସକ , ପରିଶ୍ରମୀ ଏବଂ ଜିଲ୍ଲାପାଳଙ୍କର ସହଯୋଗୀ ହିସାବରେ ଜିଲ୍ଲାରେ ଏବଂ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ବେଶ ଜଣାଶୁଣା ଥିଲେ। ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ଚନ୍ଦ୍ରଗିରିରେ ପାର୍କ , ସେରଙ୍ଗରେ ଟ୍ରାଇବଲ୍‌ ମ୍ୟୁଜିଅମ୍ ପ୍ରତିଷ୍ଠା କରିବା ସହ ଜିଲ୍ଲାରେ ଥିବା ଅନ୍ୟ ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ତାଙ୍କର କାର୍ଯ୍ୟ ବେଶ ପ୍ରଶଂସନୀୟ ଥିଲା ।
ଶ୍ରୀଯୁକ୍ତ ବେହେରା ମନରେଗା ଯୋଜନାରେ ଅତ୍ୟଧିକ କାର୍ଯ୍ୟଦିବସ ସୃଷ୍ଟି କରି ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲେ। ତାଙ୍କ ସମୟରେ ମନରେଗା ମାଧ୍ୟମରେ ରବର ଚାଷ , ରବର ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା , ମିଶନ୍ ଜିବୀକାରେ ଶତାଧିକ ସ୍ଵୟଂ ସହାୟକ ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରିବା ଏବଂ ଆଶ୍ରମ ସ୍କୁଲ ଗୁଡିକୁ ଆଇ.ଏସ୍.ଓ. ପ୍ରମାଣପତ୍ର ପାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ।
ଏହି ପ୍ରରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲିପ କୁମାର ମହାରଣା, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀଯୁକ୍ତ ଅନାମ ଚରଣ ପାତ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାତ୍ର , ତହସିଲଦାର
କାଶୀନଗର ଶ୍ରୀଯୁକ୍ତ ସୀମାଞ୍ଚଳ ମହାନ୍ତି , ତହସିଲଦାର ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ଜାନି, କାର୍ଯ୍ୟନିର୍ବାହି ଅଧିକାରୀ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମାଝୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଶୀନଗର ଶ୍ରୀଯୁକ୍ତ ଲକ୍ଷ୍ମୀ ପ୍ରସାଦ ସାହୁ , ଅତିରିକ୍ତ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଜୁବୁଲି ଚରଣ ବେହେରା ସହ ଜିଲ୍ଲାର ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇଥିଲେ ।

Leave A Reply

Your email address will not be published.