ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକର ବଡଖିଙ୍ଗା ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଉକ୍ତ ବାଲ୍ୟବିବାହ ସମ୍ପର୍କରେ ବିଶ୍ୱସ୍ଥ ସୂତ୍ରରୁ କାଶୀନଗର ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ କନକ ଲତା ପୂଜାରୀ ଜାଣିବାକୁ ପାଇଥିଲେ। ଶ୍ରୀମତୀ ପୂଜାରୀ ଖବର ପାଇ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଅବଗତ କରିଥିଲେ।
ଏହାପରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଏକ ଟିମ୍ ଗଠନ କରାଯାଇଥଲା। ଉକ୍ତ ଟିମ୍ ରେ ଆଇସିଡିଏସ୍ (ICDS) ସିଡିପିଓ କନକ ଲତା ପୂଜାରୀ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ପରାମର୍ଶଦାତା ଶ୍ରୀଯୁକ୍ତ ଡି.ମଲ୍ଲିକ ,
ସଖୀ ୱାନ୍ ଷ୍ଟପ୍ ସେଣ୍ଟରରପରାମର୍ଶ ଦାତ୍ରୀ ସୁମିତ ପରିଚ୍ଛା , ଏକ୍ସନ ଏଡ୍ ର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ବିକାଶ କୁମାର ମେହେର ଏବଂ ଚାଇଲ୍ଡଲାଇନ୍ ର ସଦସ୍ୟ ଏ. ମିନାକ୍ଷୀ , ପୋଲିସ ଅଧିକାରୀ ଜୟପ୍ରକାଶ ପୁତୁଲିକି ପ୍ରଭୃତି ଉକ୍ତ ଗ୍ରାମକୁ ଯାଇ ହେବାକୁ ଥିବା ବାଲ୍ୟବିବାହକୁ ସ୍ଥଗିତ କରିଥିଲେ।
ଏହା ପରେ ବିବାହ ହେବାକୁ ଥିବା ଝିଅର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା ଏବଂ ଅଭିଭାବକଙ୍କୁ ବାଲ୍ୟବିବାହର କୁ-ପ୍ରଭାବ ଉପରେ ବିଷଦ ଭାବରେ ବୁଝାଯାଇଥିଲା । ଗ୍ରାମବାସୀଙ୍କ ଉପସ୍ଥିତିରେ ଝିଅର ଅଭିଭାବକ ଝିଅଟିକୁ ୧୮ ବର୍ଷ ପୂରଣ ନହେବା ଯାଏ ବିବାହ ଦେବେ ନାହିଁ ଏବଂ ଯଦି ଏଥିରେ ତ୍ରୁଟି କରିବେ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଲିଖିତ ଆକାରରେ ଜଣାଇଛନ୍ତି।
ଟାସ୍କଫୋର୍ସ ଦ୍ୱାରା ଝିଅକୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥିତ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଝିଅଟିକୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟବିବାହ ନିରୋଧ ଟାସ୍କଫୋର୍ସ ଦ୍ଵାରା ନିୟମିତ ପରାମର୍ଶ ଦେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post