ଓଡିଶାର ଦ୍ୱିତୀୟ ଝୋଲା ପୋଲର ରକ୍ଷଣାବେକ୍ଷଣ ଦାବୀ : ରାୟଗଡ ଜିଲ୍ଲା ବିକାଶ ମଂଚ ତରଫରୁ ବିଧାୟକଙ୍କୁ ଦାବୀପତ୍ର

0

ରାୟଗଡା(ସରୋଜ କୁମାର ସାହୁ) :ରାୟଗଡ ଜିଲ୍ଲା ବିକାଶ ମଂଚ ତରଫରୁ ରାୟଗଡ ସଦର ମହକୁମାର ଚେକାଗୁଡା ଗ୍ରାମ ନିକଟରେ ବୋହି ଯାଉଥିବା ଖରସ୍ରୋତା ନାଗାବଳୀ ନଦୀ ଉପରେ ନିର୍ମିତ ଓଡିଶାର ଦ୍ୱିତୀୟ ଝୋଲା ପୋଲର ରକ୍ଷଣାବେକ୍ଷଣ ଓ ସେଲଫି ଫୋଟୋ ଉଠାଇବା ନିଶାରେ ନାଗାବଳୀ ନଦୀରେ ବୁଡିଯାଇ ଅକାଳ ମୃତ୍ୟୁ ବରଣ କରୁଥିବା ପର୍ଯ୍ୟଟକଙ୍କ ସକାଶେ ସୁରକ୍ଷା ବ୍ୟବସ୍ଥା ନେଇ ବିଧାୟକ ରାୟଗଡ ଶ୍ରୀ ମକରନ୍ଦ ମୁଦୁଲିଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ଆଜକୁ ପ୍ରାୟ ଦଶ ବର୍ଷ ତଳେ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନାଗାବଳୀ ନଦୀ ଉପରେ ଏକ ଝୋଲା ପୋଲକୁ ଓଡିଶା ପୋଲିସ ହାଉସିଙ୍ଗ କର୍ପୋରେସ ଦ୍ୱାରା ନିର୍ମାଣ କରାଯାଇଥିଲା । କିନ୍ତୁ ପରିତାପର ବିଷୟ ଉକ୍ତ ଝୋଲା ପୋଲ ନିର୍ମାଣ ହେବା ପରଠାରୁ ବର୍ତମାନ ସୁଧା ତାର ରକ୍ଷଣାବେକ୍ଷଣ ପାଇଁ କୌଣସି ଠୋସ ପଦକ୍ଷେପ ନିଆଯାଇ ନାହିଁ ଯା ଫଳରେ ଉକ୍ତ ଝୋଲା ପୋଲରେ ଚାଲିବା ପାଇଁ ଥିବା ପ୍ଲେଟ ଗୁଡିକ ଠାଏ ଠାଏ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ପୋଲଟି ସମ୍ପୂର୍ଣ୍ଣ ଅସୁରକ୍ଷିତ ରହିଛି । ସୌନ୍ଦର୍ଯ୍ୟ ଭରା ଉକ୍ତ ଝୋଲା ପୋଲ ବୁଲିବାକୁ ବିଭିନ୍ନ ରାଜ୍ୟ ତଥା ଜିଲ୍ଲା ବାହାରୁ ବହୁ ପର୍ଯ୍ୟକ ପ୍ରତ୍ୟେକ ଦିନ ଆସିଥାଆନ୍ତି । ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ନିଜ କ୍ୟାମେରାରେ ଫୋଟୋ ଗୁଡିକୁ ସାଇତି ରଖିବା ପାଇଁ ପୋଲ ତଳେ ଥିବା ନଦୀ ପାଖକୁ ଯାଇଥାଆନ୍ତି । ନାଗାବଳୀ ନଦୀର ଗଭୀରତା ଓ ସ୍ରୋତର ପ୍ରଖରତା ସମ୍ପର୍କରେ ବାହାରୁ ଆସୁଥୁବା ପର୍ଯ୍ୟଟକ ମାନେ ଅନଭିଜ୍ଞ ଥାଆନ୍ତି ଯାହା ଫଳରେ ଫୋଟୋ ନେବା ନିଶାରେ ସେମାନେ ନଦୀର ସ୍ରୋତ ଓ ଗଭିରତାରେ ପଡି ଅକାଳରେ ମୃତ୍ୟୁ ମୁଖରେ ପଡିଥାଆନ୍ତି । ଏ ନେଇ ରାୟଗଡ ଜିଲ୍ଲା ବିକାଶ ମଂଚ ତରପରୁ ରାୟଗଡ ବିଧାୟକ ଶ୍ରୀ ମୁଦୁଲିଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରଦାନ କରିଥିବା ଦାବୀପତ୍ରରେ ଦାବୀ ଗୁଡିକ ହେଲା । ଝୋଲା ପୋଲର ସଠିକ ରକ୍ଷଣାବେକ୍ଷଣ କରିବା, ଝୋଲା ପୋଲର ଭାଙ୍ଗି ଯାଇଥିବା ପ୍ଲେଟ ଗୁଡିକୁ ବାହାର କରାଯାଇ ନୂତନ ପ୍ଲେଟ ଲଗାଇବା, ଝୋଲା ପୋଲ ନିକଟରେ ଓଡିଆ, ଇଂରାଜୀ, ହିନ୍ଦୀ ଓ ତେଲୁଗୁ ଭାଷାରେ ବିପଦ ସୂଚନା ଫଳକ ଲଗାଇବା, ନଦୀ ନିକଟରେ ଲୁହାର ସୁରକ୍ଷା ବାଡ ନିର୍ମାଣ କରିବା, ଝୋଲା ପୋଲ ନିକଟରେ ସୁରକ୍ଷା କର୍ମୀ ନିୟୋଜିତ କରିବା ସହ ସୁରକ୍ଷାକୁ କଡାକଡି ଭାବେ ପାଳନ କରାଇବା ଇତ୍ୟାଦୀ ଦାବୀ ଗୁଡିକ ଉପସ୍ଥାପନ କରିଛନ୍ତି । ଉକ୍ତ ଦାବୀପତ୍ରକୁ ରାୟଗଡ ଜିଲ୍ଲା ବିକାଶ ମଂଚର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗା ପ୍ରାଦନ କରିଥିବା ବେଳେ ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ, ଉପଦେଷ୍ଟା ସାରଥି ପଟ୍ଟନାୟକ, କୋଷାଧ୍ୟକ୍ଷ ସୁରେଶ ସାହୁ ଓ ସଭ୍ୟ ମନୋଜ କୁମାର ସାହୁ ଏବଂ ସାହୁ କୁଲଦୀପ ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.