ଜିଲ୍ଲାସ୍ତରୀୟ “ଜାତୀୟ ଗଣିତ ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଏସସିଇଆରଟି: ସହାୟତାରେ ଜିଲ୍ଲାସ୍ତରୀୟ “ଜାତୀୟ ଗଣିତ ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳେଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଣିତ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ଗଣିତ ବିଷୟକୁ ପ୍ରଚାର ପ୍ରସାର କରିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗଣିତ ପ୍ରତି ଆକୃଷ୍ଟ କରିବା ଓ ସେଥିପ୍ରତି ସେମାନଙ୍କ ଆଗ୍ରହ ସୃଷ୍ଟି କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ଶୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ଗଣିତ ବିଭାଗ ସହଯୋଗୀ ପ୍ରଫେସର ଡ଼ଃ ସୁବିର ତୁଙ୍ଗ ଏବଂ ଅଧ୍ୟାପକ ଡ଼ଃ ଅଶ୍ବିନୀ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ରହି ଗଣିତଜ୍ଞ ରାମାନୁଜନଙ୍କ ସ୍କୁଲ ଓ ଚାକିରୀ ଜୀବନ ସହ ତାଙ୍କୁ କେମ୍ବ୍ରିଜ ଗଣିତଜ୍ଞ ଦ୍ୱାରା ଲଣ୍ଡନ ଡାକରା ଓ ସେଠାରେ ତାଙ୍କର ଗଣିତ ସମାଜ ସମେତ ରୋୟାଲ ସୋସାଇଟିର ସଦସ୍ୟତା ଗ୍ରହଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।
ରାମାନୁଜନ ଗଣିତ ବିଷୟରେ ହିଁ ଅଧିକ ରୁଚି ରଖିବା ଯୋଗୁଁ ସେ ଜଣେ ମହାନ ଗଣିତଜ୍ଞ ଭାବେ ସମଗ୍ର ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିଲେ । ସେ ଅଙ୍କ ଗଣନା ପାଇଁ ୧୨୦ଟି ସୂତ୍ର ଲେଖିଥିଲେ , ଯାହା ଦ୍ୱାରାକି ସେ ଜଟିଳ ଗଣିତ ସମସ୍ୟା ଗୁଡିକର ସମାଧାନ କରିବା ଓ ଗଣିତକୁ ସହଜ କରିବା ସିଦ୍ଧାନ୍ତର ବିକାଶ ଦିଗରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଗଣିତର ମୌଳିକ ସୂତ୍ର ଗୁଡିକ ଜାଣିଲେ ହିଁ ଗଣିତର ସମାଧାନ କରିବା ସହଜସାଧ୍ୟ ହୋଇପାରିବ । ଏଥିସହିତ ଗଣିତ ଜ୍ଞାନ ଥିବା ବ୍ୟକ୍ତି ପ୍ରାୟତଃ ସବୁକଥା ସହଜେ ଜାଣି ପାରିଥାଏ , ଏମିତିକି ନ ଜାଣିଥିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ ତାର ଗଣିତ ଜ୍ଞାନ ତାକୁ ନିଷ୍ପତ୍ତି ନେବାର କ୍ଷମତା ବଢ଼ାଇଥାଏ , ତେଣୁକରି ସବୁ କ୍ଷେତ୍ରରେ ଗଣିତର ଆବଶ୍ୟକତା ରହିଛି , ବିନା ଗଣିତ ଜ୍ଞାନରେ ଜଣେ ବ୍ୟକ୍ତି ଉଚ୍ଚକୁ ଉଠିବା ଅସମ୍ଭବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଗଣିତ ପାଠ ପଢ଼ାଇବାର ଅଭିଜ୍ଞତା ଓ ଅନୁଭୂତି ସମ୍ପର୍କରେ ମଞ୍ଚାସୀନ ଅତିଥି ଏବଂ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ଠାରେ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ରାମଶଙ୍କର ଗନ୍ତାୟତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ଲୀମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଗଣିତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.