ଲୋକ ସଂପର୍କ ଭବନରେ ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ ପାଳିତ

0

ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର(ଶାସକ ପ୍ରଶାସକ):ଆଧୁନିକ ଭାରତର ଇତିହାସ ପୃଷ୍ଠାରେ ଯେଉଁ କେତେ ଜଣ ମହିୟସୀ ମହିଳା ସେମାନଙ୍କର ଅଲିଭା ସ୍ୱାକ୍ଷର ଛାଡି ଯାଇଛନ୍ତି, ତନ୍ମଧ୍ୟରେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରାଗାନ୍ଧିଙ୍କ ନାମ ଅନ୍ୟତମ । ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଏହି ମହିୟସୀ ମହିଳା ଜନ୍ମଲାଭ କରିଥିଲେ । ପରବର୍ତୀ ସମୟରେ ଦେଶର ପ୍ରଧାନ ମନ୍ତ୍ରୀ ସମୟରେ ଭାରତର ରାଜନୈତିକ ଓ ସାମାଜିକ କ୍ଷେତ୍ର ଠାରୁ ଆରମ୍ଭ କରି ବୈଦେଶିକ ନୀତି, ବ୍ୟାଙ୍କ ଜାତୀୟକରଣ ଏବଂ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଆଦିରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା । ଭାରତ ବର୍ଷ ସମେତ ସମଗ୍ର ପୃଥିବୀରେ ସେ ଜଣେ ଅନନ୍ୟା ନାରୀନେତ୍ରୀ ଭାବେ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିଥିଲେ । ଆଜି ଭାରତ ବର୍ଷ ୧୯୭୧ ଯୁଦ୍ଧରେ ବିଜୟ ଲାଭର ୫୦ ବର୍ଷ ପୂର୍ତି ଉପଲକ୍ଷେ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଛି । କିନ୍ତୁ ଏହି ସମୟରେ ଯେଉଁ ସାହସୀ. ଶକ୍ତିଶାଳୀ,ଦୃଢମନା ପ୍ରଧାନମନ୍ତ୍ରୀ ଭାରତକୁ ନେତୃତ୍ୱ ଦେଇ ବଙ୍ଗଳାଦେଶ ପରି ରାଷ୍ଟ୍ର ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ, ସେହି ମହିୟସୀ ମହିଳା ସ୍ୱର୍ଗୀୟା ଇନ୍ଦିରାଗାନ୍ଧିଙ୍କ ଜୟନ୍ତୀରେ ଦେଶ ଆଜି ତାଙ୍କର ବହୁମୁଖୀ ଅବଦାନ ପାଇଁ ଗଭୀର ଶ୍ରଦ୍ଧଞ୍ଜଳି ଜଣାଉଛି ବୋଲି ଆଜି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ସଂହତି ଦିବସ ପାଳନ ଅବସରରେ ଅତିଥି ଓ ବକ୍ତାମାନେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି । ଦେଶର ଅଖଣ୍ଡତା ଓ ଜାତୀୟ ଏକତା ପାଇଁ ସର୍ବଦା ଚେଷ୍ଟିତ ଥିବା ଇନ୍ଦିରା ଗାନ୍ଧିଙ୍କ ବଳିଦାନ ଯୋଗୁଁ ଆଜି ଏକତା ଓ ଜାତୀୟ ସଂହତିର ରକ୍ଷା ସମସ୍ତଙ୍କ ପାଇଁ ଗୁରୁ ଦାୟିତ୍ୱ ଓ ଆହ୍ୱାନ ହୋଇଛି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ।
ଏହି ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବରେ ପ୍ରଥମେ ଅତିଥିମାନଙ୍କ ଦ୍ୱାରା ସ୍ୱର୍ଗୀୟା ଇନ୍ଦିରାଗାନ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦାପ ପ୍ରଜ୍ଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଇନ୍ଦ୍ରମଣି ତ୍ରିପାଠାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶାରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତି ଯୋଗଦେଇ ସ୍ୱର୍ଗୀୟା ଇନ୍ଦିରାଗାନ୍ଧିଙ୍କ କର୍ତବ୍ୟ ନିଷ୍ଠା , ଦୂରଦୃଷ୍ଟି ସଂପନ୍ନ ଚିନ୍ତାଧାରା ଓ ଗରିବୀ ଦୂରୀକରଣ ଆଭିମୁଖ୍ୟକୁ ବିଶ୍ୱର ରାଷ୍ଟ୍ରନୀତିଜ୍ଞମାନେ ସମ୍ମାନ ଦେଉଥିଲେ ବୋଲି ପ୍ରକାଶ କରିବା ସହିତ ତାଙ୍କର ରାଷ୍ଟ୍ରଗଠନର ଦର୍ଶନ ଆମ ସମସ୍ତଙ୍କୁ ଆଗକୁ ବଢିବାରେ ପ୍ରେରଣା ଯୋଗାଉଥିବ ବୋଲି ସେ କହିଥିଲେ ।
ମୁଖ୍ୟ ବକ୍ତା ବିଶିଷ୍ଟ ଶିକ୍ଷାବିତ୍ ଏବଂ ଗବେଷକ ଡ. ଗିରିଶ ପ୍ରସାଦ ସ୍ୱାଇଁ ଯୋଗଦେଇ ଇନ୍ଦିରାଗାନ୍ଧିଙ୍କ ଜୀବନୀ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହେରୁଙ୍କର ସୁପୁତ୍ରୀ ଇନ୍ଦିରାଗାନ୍ଧିଙ୍କୁ ସେ ଲୌହମାନବୀ ବୋଲି ଅଭିହିତ କରି କହିଲେ ଯେ, ନେହେରୁ ତଥା ପୃଥିବୀର ବିଶିଷ୍ଟ ଦର୍ଶନବାଦୀ ବ୍ୟକ୍ତିତ୍ୱଙ୍କର ବହୁ ଭଲଗୁଣ ତାଙ୍କ ଠାରେ ପରିପ୍ରକାଶ ଘଟିଥିଲା । ଏକ ବିଳାସପୂର୍ଣ୍ଣ ପରିବାରରୁ ଆସି ମଧ୍ୟ ସାଧାରଣ ଲୋକଙ୍କ ପରି ତାଙ୍କର ବ୍ୟବହାର ଥିଲା ଏବଂ ଲୋକଙ୍କ ଅର୍ଥନୈତିକ ବିକାଶ ଓ ଅନଗ୍ରସର ବର୍ଗଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ବିଂଶ ସୂତ୍ରୀ କାର୍ଯ୍ୟକ୍ରମ ସେ ଆରମ୍ଭ କରିଥିଲେ । ଶୃଙ୍ଖଳା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା, ଦେଶର ପ୍ରତିରକ୍ଷାକୁ ଗୁରୁତ୍ୱ ଦେବା ସହ ସାମାଜିକ ସଶକ୍ତିକରଣ, ମହିଳା ସଶକ୍ତିକରଣକୁ ସେ ପ୍ରାଧାନ୍ୟ ଦେଉଥିଲେ ଏବଂ ଭାରତରେ ବୈଷୟିକ ବିଜ୍ଞାନର ସେ ଜନକ ଥିଲେ ବୋଲି ମୁଖ୍ୟବକ୍ତା ଡଃ. ସ୍ୱାଇଁ ଏହି ଅବସରରେ ପ୍ରକାଶ କରିଥିଲେ । ପରିଶେଷରେ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ନିଦେ୍ର୍ଧଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ ସୂଚନା ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଓ ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୋଭିଡ୍ କଟକଣା ଅନୁପାଳନ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.