ଏପଟେ ରୂପାନ୍ତରଣ, ସେପଟେ ଅନେକ ସ୍କୁଲରେ ସ୍ଥିତି କରୁଣ

0 1
  • ୩୦୮ ଛାତ୍ର ଛାତ୍ରୀ : ନାହାନ୍ତି ଜଣେ ବି ନିୟମିତ ଶିକ୍ଷକ

  • ଶୂନ୍ୟ ଶିକ୍ଷକ ରେ ଚାଲିଛି ଗୋଲାମାଳ ଉଚ୍ଚ ବିଦ୍ୟାଳୟ

  • ହାଇସ୍କୁଲ ପିଲାଙ୍କୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଢ଼ାଉଛନ୍ତି ପାଠ

  • ନାମକୁ ମାତ୍ର ମନ ବୁଝାଇବା ପାଇଁ ଶିକ୍ଷାଦାନ ଚାଲିଛି ର..ଠ…

ରେଙ୍ଗାଲି( ସନ୍ଦୀପ ଶର୍ମା) : ସରକାର ସ୍କୁଲର ରୂପାନ୍ତରଣ କରୁଛନ୍ତି | ସ୍କୁଲ ଝଲକୁଛି, ମୁଖ୍ୟମନ୍ତ୍ରୀଙ୍କ ହାତରେ ଲୋକାର୍ପିତ ହେଉଛି | ହେଲେ ଏମିତି କେତେ ସ୍କୁଲ ଅଛି, ଯେଉଁଠି ପିଲା ତା ଶହ ଶହ ଅଛନ୍ତି, ହେଲେ ଶିକ୍ଷକ ନାହାନ୍ତି | ଦୟାରେ ଚାଲିଛି ପିଲାଙ୍କ ପାଠପଢା, ଡେପୁଟେସନ ବା ଡେ଼ପ୍ଲୟମେଣ୍ଟରେ ଶିକ୍ଷକ ଆସି ପଢ଼ୁଛନ୍ତି ପାଠ, ଶିକ୍ଷାଦାନ ଚାଲିଛି ର..ଠ… | ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ କତରବଗା ପଞ୍ଚାୟତ ଗୋଲାମାଲ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ଦୀର୍ଘ ବର୍ଷ ହେଲା ଶିକ୍ଷକ ନିଯୁକ୍ତି ଦିଆଯାଉ ନଥିବାରୁ ଏହି ବିଦ୍ୟାଳୟ ପରିସରରେ ଅବସ୍ଥାପିତ ଉଚ୍ଚପ୍ରାଥମିକ ଏବଂ ଅନ୍ୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଡେପୁଟେସନ୍‌ରେ ଆସିଥିବା ଶିକ୍ଷକ ମାନଙ୍କ ଭରସାରେ ହାଇସ୍କୁଲର ଶିକ୍ଷାଦାନ ଚାଲିଥିବା ଜଣାପଡ଼ିଛି।
ମିଳିଥିବା ତଥ୍ୟ ଅନୁଯାୟୀ ୧୯୦୯ ମସିହାରେ ଗୋଲାମାଲ ଗ୍ରାମରେ ସ୍ଥାପିତ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ସରକାର ୨୦୧୫ ମସିହାରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି । କିନ୍ତୁ ହାଇସ୍କୁଲ ମାନ୍ୟତା ପାଇବାର ୬ବର୍ଷ ପରେ ବି ହାଇସ୍କୁଲ ପାଇଁ ମଞ୍ଜୁରୀପ୍ରାପ୍ତ ବୋଲି ସାଧାରଣରେ ପ୍ରଶ୍ନ ହେଉଛି ଗୋଲାମାଲ ଉନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୦୮ ଜଣ ଅଧ୍ୟୟନ କରୁଛନ୍ତି । ଅଷ୍ଟମ ଶ୍ରେଣୀରେ ୫୫ ଜଣ, ନବମରେ ୫୨ ଜଣ ଏବଂ ଦଶମରେ ୩୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସଂଖ୍ୟା ୧୬୮। ଏହି ଉନ୍ନୀତ ହାଇସ୍କୁଲରେ ଉଚ୍ଚ ପ୍ରାଥମିକ ସ୍ତରରେ ନିଯୁକ୍ତି ପାଇଥିବା ମାତ୍ର ୬ଜଣ ଶିକ୍ଷକ ଥିବାବେଳେ ବ୍ଲକ୍‌ର ଅନ୍ୟ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଡେପୁଟେସନ୍‌ରେ ଶିକ୍ଷକ ଅଣାଯାଇ ଶିକ୍ଷାଦାନ ଚାଲିଛି ।
ହାଇସ୍କୁଲ ଶିକ୍ଷା ପାଇଁ ମଞ୍ଜୁରୀ ପାଇଥିବା ପ୍ରଧାନ ଶିକ୍ଷକ ବିଜ୍ଞାନ, ଗଣିତ, ହିନ୍ଦୀ, ସଂସ୍କୃତି, ସାହିତ୍ୟ, ଇଂରାଜୀ, ଖେଳ ଶିକ୍ଷକ, କିରାଣି, ପିଅନ ଆଦି ସମସ୍ତ ପଦ ଖାଲି ପଡିଛି । ନିୟମ ଅନୁଯାୟୀ ହାଇସ୍କୁଲ ପାଇଁ ୮ ଜଣ ଶିକ୍ଷକ, ଜଣେ କିରାଣୀ ଏବଂ ଦୁଇ ଜଣ ପିଅନ ରହିବା କଥା l ଏଠାରେ ଏହାର ସମ୍ପୂର୍ଣ ବ୍ୟତିକ୍ରମ ଦେଖାଦେଉଛି ।
ହାଇସ୍କୁଲ ପାଇଁ ଶିକ୍ଷକ ନିଯୁକ୍ତି ଦେବାକୁ ଗ୍ରାମ୍ୟ ଶିକ୍ଷା କମିଟି ଏବଂ ଗ୍ରାମବାସୀ ବାରମ୍ବାର ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.