୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୩୮ଟି ସ୍କୁଲର ରୂପାନ୍ତରଣକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ମାଲକାନଗିରି, ଝାରସୁଗୁଡା, କଳାହାଣ୍ଡି, ମୟୂରଭଂଜର ଓ ଖୋର୍ଦ୍ଧା ଆଦି ୫ଟି ଜିଲ୍ଲାର ୧୫୮ଟି ହାଇସ୍କୁଲର ରୂପାନ୍ତରଣକୁ ଲୋକାର୍ପଣ କରିଛନ୍ତି । ତନ୍ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୩୮ଟି ସ୍କୁଲ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ଲୋକସେବା ଭବନରୁ ଆଭାସୀ ମାଧ୍ୟମରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲାରେ ରୂପାନ୍ତରକରଣ ହୋଇଥିବା ଭୁବନେଶ୍ୱର ୟୁନିଟ୍-୮ ବାଳକ ହାଇସ୍କୁଲ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ “ମୋ ସ୍କୁଲ” ରୂପାନ୍ତରଣ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ସାଧାରଣ ଉଦ୍ୟୋଗ, ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତନାରାୟଣ ଜେନା, ଜୟଦେବ ବିଧାୟକ ଶ୍ରୀ ଅରବିନ୍ଦ ଢାଲି, ବେଗୁନିଆ ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧା ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ଦଳାଇ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ସଂଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଶ୍ରୀ ଉଦ୍ଧବ ପ୍ରକାଶ ବେହେରାଙ୍କ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ରୂପାନ୍ତରକରଣ ସଂପର୍କରେ କଥା ହୋଇଥିଲେ । ଏହି ଅବସରରେ ମନ୍ତ୍ରୀ, ବିଧାୟକଗଣ, ଜିଲ୍ଲାପାଳ ତଥା ବିଦ୍ୟାଳୟ ତରଫରୁ ୫-ଟି ଉପକ୍ରମ ଆଧାରରେ ବିଦ୍ୟାଳୟ ରୂପାନ୍ତରକରଣ ହୋଇଥିବା ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ୫-ଟି ସଚିବ ଶ୍ରୀ ଭି.କେ.ପାଣ୍ଡିଆନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.