ଓଏଲ୍ଆଇସି ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ସୁବର୍ଣ୍ଣପୁର ଉଠା ଜଳସେଚନ ଡିଭିଜନ ଗସ୍ତ

0 1

କ୍ଷେତ୍ର ପରିଦର୍ଶନ ସହ ନେଲେ ଅଫିସରଙ୍କ ବୈଠକ

ନିର୍ମାଣାଧିନ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ସହ ମରାମତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର/ସୁବର୍ଣ୍ଣପୁର(ଶାସକ ପ୍ରଶାସକ): ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ସ୍ଥାନୀୟ ସର୍କିଟ ହାଉସଠାରେ ଏକ ବୈଠକରେ ସମୀକ୍ଷାରେ ଯୋଗଦେଇ ସୁବର୍ଣ୍ଣପୁର ଓ.ଏଲ୍.ଆଇ.ସି ଡିଭିଜନରେ କାର୍ଯ୍ୟକାରୀ ହେଉଥିବା ଉଠା ଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଓ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟ ଆଧାରରେ ନିର୍ମାଣାଧିନ ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଶୀଘ୍ର ସଂପୂର୍ଣ୍ଣ କରିବା, ମରାମତି ଆବଶ୍ୟକ କରୁଥିବା ପ୍ରକଳ୍ପକୁ ଯାଂଚ କରି ସେସବୁକୁ ପୁନଃ ସଚଳ କରିବା ପାଇଁ ଆବଶ୍ୟକତା ଅନୁସାରେ ତ୍ୱରିତ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷିର ଉନ୍ନତି ଓ କୃଷକମାନଙ୍କ କଲ୍ୟାଣ ପାଇଁ ଚାଷ ଜମିକୁ ଜଳସେଚନ ଯୋଗାଇଦେବା ପାଇଁ ଉଠା ଜଳସେଚନ ନିଗମଠାରୁ ଯେଉଁ ଆଶା ରଖିଛନ୍ତି ତାହାକୁ ଗୁରୁତ୍ୱ ଦେଇ ଡିଭିଜନରେ କାର୍ଯ୍ୟକରୁଥିବା ସମସ୍ତ ଯନ୍ତ୍ରୀମାନେ ସେମାନଙ୍କର କର୍ତବ୍ୟ ସୁଚାରୁରୂପେ ସଂପାଦନ କରିବେ ବୋଲି ଶ୍ରୀ ପତ୍ରୀ ଆଶା ପ୍ରକାଶ କରିଥିଲେ ।
ବିନିକା ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ନନ୍ଦ, ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀ ବିଧାୟକଙ୍କ ପ୍ରତିନିଧି ଶ୍ରୀ ରଂଜିତ୍ କୁମାର ରଥଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଉଠା ଜଳସେଚନ ନିଗମ ଅଧିକ୍ଷଣ ଯନ୍ତ୍ରୀ ଦିଲ୍ଲୀପ କୁମାର ଦାଶ, ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଶିରିଶ ଚନ୍ଦ୍ର ମୁଣ୍ଡା, ସହକାରୀ ଯନ୍ତ୍ରୀ ରାଜକିଶୋର ପାଢୀ, କନିଷ୍ଠ ଯନ୍ତ୍ରୀ ସୁରଜ ମେହେର, ବିକାଶ ରମଣ ପ୍ରତାପରାୟ, ଦିଲ୍ଲୀପ କୁମାର କର ପ୍ରମୁଖ ଯୋଗଦେଇ ଥିଲେ । ପରେ ପରେ ଓ.ଏଲ୍.ଆଇ.ସି. ଅଧ୍ୟକ୍ଷ ଶ୍ରୀ ପତ୍ରୀ ସୁବର୍ଣ୍ଣପୁର ବ୍ଲକର ଗୋବିନ୍ଦପୁର ସ୍ଥିତ ଗଭୀର କୂପ ପ୍ରକଳ୍ପ, ଛତାପିପଳ-୨ ନଦୀ ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.